ଆଜି ବିଶ୍ୱ ମ୍ୟାଲେରିଆ ଦିବସ
ଆଜି ବିଶ୍ୱ ମ୍ୟାଲେରିଆ ଦିବସ। ପ୍ରତିବର୍ଷ ଏପ୍ରିଲ ୨୫ରେ ପାଳିତ ହେଇଥାଏ ଏହି ଦିବସ । ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏହି ସଂଗଠନ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ,ସମଗ୍ର ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରିବା ହେଉଛି ମୂଳ ଲକ୍ଷ । ବିଶ୍ୱରେ ଅନ୍ତତଃ ୧୦୬ ଦେଶର ୩.୩ ବିଲିୟନ ଲୋକ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ । ଏକ ତଥ୍ୟ ଅନୁସାରେ କେବଳ ୨୦୧୨ ମସିହାରେ ୬୨,୭୦୦ ଜଣ ମ୍ୟାଲେରିଆର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଫ୍ରିକୀୟ ଶିଶୁ ତଥା ଏସିଆ ଓ ଲାଟିନ ଆମେରିକା ନିବାସୀ । ମଧ୍ୟ ଇଉରୋପର କିଛି ଅଞ୍ଚଳ ମଧ୍ୟ ଏହି ରୋଗର କବଳିତ । ଆଫ୍ରିକା ମ୍ୟାଲେରିଆ ଦିବସ ପାଳନ ପାଇଁ ପ୍ରଥମେ ହୋଇଥିବା ପ୍ରୟାସରୁ ବିଶ୍ୱ ମ୍ୟାଲେରିଆ ଦିବସର ସୃଷ୍ଟି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ ଆଠୋଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ବିଶ୍ୱ ମ୍ୟାଲେରିଆ ଦିବସ ଅନ୍ୟତମ । ଅନ୍ୟ ସାତୋଟି ହେଲା, .ବିଶ୍ୱ ରକ୍ତଦାତା ଦିବସ, ବିଶ୍ୱ ଟୀକାକରଣ ସପ୍ତାହ,ବିଶ୍ୱ କ୍ଷୟରୋଗ ଦିବସ,ବିଶ୍ୱ ତମାଖୁ ଦିବସ,ବିଶ୍ୱ ହେପାଟାଇଟିସ ଦିବସ,ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ ଏଡସ୍ ଦିବସ ।
ପ୍ରତିବର୍ଷ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଚୟନ କରାଯାଏ । ଚଳିତବର୍ଷ ବିଶ୍ୱ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି ‘ଶୂନ୍ୟ ମ୍ୟାଲେରିଆ ଲକ୍ଷରେ ପହଞ୍ଚିବା’। ରାଜ୍ୟରେ କ୍ରମାଗତ ଭାବେ ମ୍ୟାଲେରିଆ ହ୍ରାସ ପାଉଛି। ବିଶେଷକରି ୨୦୧୭ ମସିହା ପରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ହେଲେ ଗତବର୍ଷ ରାଜ୍ୟରେ ପୁଣିଥରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି। ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍ଭିବିଡିସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ତୁଳନାରେ ଗତବର୍ଷ ସାଢ଼େ ୫ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ ମସିହାରେ ରାଜ୍ୟରେ ୩୯,୫୫୬ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତବର୍ଷ ଏହା ୪୧,୭୩୮କୁ ବୃଦ୍ଧି ପାଇଥିଲା। ଦୁଇବର୍ଷରେ ୯ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ସମୟରେ କେତେକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। ପ୍ଲାଜମୋଡିୟମ୍ ଫାଲ୍ସିପାରମ୍ ବା ପିଏଫ୍ ପାରାସାଇଟ୍ ସଂକ୍ରମଣରେ ମଧ୍ୟ ବୃଦ୍ଧି ହୋଇଛି। ଗତବର୍ଷ ଡିସେମ୍ବର ମାସ ବେଳକୁ ୨୦୧୯ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ହୋଇଥିଲା। ମାତ୍ର ପରବର୍ତୀ ସମୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି। ଦେଶ ତଥା ବିଶ୍ବସ୍ତରରେ ଓଡ଼ିଶା ନିୟନ୍ତ୍ରଣ ପାଇଁ ପ୍ରଶଂସିତ ହୋଇଥିବା ବେଳେ ଗତବର୍ଷ ପୁଣିଥରେ ବୃଦ୍ଧି ହେବା ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଏକପ୍ରକାର ଝଟ୍କା ଲାଗିଛି। ଅପରପକ୍ଷରେ ଚଳିତବର୍ଷ ଫେବ୍ରୁଆରି ମାସ ସୁଦ୍ଧା ରାଜ୍ୟରେ ୨୦୦୪ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ନୁହେଁ, ଗତବର୍ଷ ରାଜ୍ୟରେ କମ୍ ସଂଖ୍ୟକ ପରୀକ୍ଷା ମଧ୍ୟ କରାଯାଇଛି। ୨୦୧୯ରେ ରାଜ୍ୟରେ ୬୫ଲକ୍ଷ ୫୨ହଜାର ୨୯୩ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ଗତବର୍ଷ ୫୯ଲକ୍ଷ ୯୭ହଜାର ୮୫୮ ନମୁନା ପରୀକ୍ଷା ହୋଇଥିଲା। ତେବେ ଏଥିପାଇଁ କରୋନା ସଂକ୍ରମଣକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାୟୀ କରାଯାଇଛି। ଗତବର୍ଷ କରୋନା ପାଇଁ ଏସବୁ କାର୍ଯ୍ୟକ୍ରମ ପ୍ରାୟତଃ ହୋଇପାରି ନାହିଁ। ଲକ୍ଡାଉନ୍, ସଟ୍ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ୍ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଅପରପକ୍ଷରେ ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ଦମନ କାର୍ଯ୍ୟକ୍ରମ ଜାରି ରହିଛି। ଯାହାକି ରାଜ୍ୟରେ ମ୍ୟାଲେରିଆ ହ୍ରାସ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହାସହ ରାଜ୍ୟରେ ୨ କୋଟିରୁ ଅଧିକ ଔଷଧୀୟ ମଶାରୀ ବଣ୍ଟନ କରାଯାଇଥିବା ସୂଚନା ମିଳିଛି। ତେବେ ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣକୁ ଆହୁରି ହ୍ରାସ କରିବା ଲାଗି କ’ଣ ପଦକ୍ଷେପ ନିଆଯିବ ସେ ସଂପର୍କରେ ରାଜ୍ୟ ଏନ୍ଭିବିଡିସିପିର ଯୁଗ୍ମ ନିର୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କୌଣସି ଉତ୍ତର ଦେଇ ନ ଥିଲେ।