ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ, ଆରମ୍ଭ ହେଲା ମୋଦୀ ସରକାର ୩.୦

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ସରକାରଙ୍କ ୩ୟ ଇନିଂସ। ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରବିବାର ସନ୍ଧ୍ୟା ୭ଟା ୧୫ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।
ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ନିମନ୍ତ୍ରିତ ୧୦ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ମୋଦୀ ପ୍ରଧାନମନ୍ତ୍ରିତ୍ୱ ସମ୍ଭାଳିଛନ୍ତି। ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମାସିଂଘେ, ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନଥ, ଭୁଟାନ ପ୍ରଧାନମନ୍ତ୍ରୀ ସେରିଂ ତୋବ୍ଗେ, ମଳାଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଶିଳ୍ପପତି ମୁକେଶ ଆମ୍ବାନୀ, ଗୌତମ ଆଦାନୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସିନେ ଷ୍ଟାର ରଜନୀକାନ୍ତ, ଶାହାରୁଖ ଖାନ ଓ ଅକ୍ଷୟ କୁମାର ଉପସ୍ଥିତ ଥିଲେ।
ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜନ୍ମିତ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଲାଗି ଦେଶର ଶାସନ ଡ଼ୋରି ସମ୍ଭାଳିଛନ୍ତି ନରେନ୍ଦ୍ର ମୋଦୀ। ଭାରତୀୟ ଜନତା ପାର୍ଟି(ବିଜେପି)ର ଜଣେ ସଫଳ ନେତା ଭାବେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରେ ସାରା ଦେଶର ଦୃଷ୍ଟି ଆକର୍ଷଣ କରଥିଲେ। ୨୦୦୧ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ କ୍ରମାଗତ ୩ ପାଳି ଶାସନ କରନ୍ତି। ଏହାପରେ ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି)ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ। ୨୦୦୪ ମସିହାରୁ କ୍ଷମତାରୁ ଦୂରେଇ ରହିଥିବା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ନିଜ ନେତୃତ୍ୱ ବଳରେ କ୍ଷମତାସୀନ କରାଇବାରେ ସଫଳ ହୋଇଥିଲେ ନରେନ୍ଦ୍ର ମୋଦୀ। ୨୦୧୪ ଏବଂ ୨୦୧୯ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
ସୂଚନା ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନପାଇବାରୁ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁ ଏବେ କିଙ୍ଗମେକର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୫୪୩ ଲୋକସଭା ଆସନରୁ ଏନ୍ଡିଏ ମେଣ୍ଟ ୨୯୩ ଆସନରେ ଜିତିଥିବା ବେଳେ ବିଜେପି ମାତ୍ର ୨୪୦ ଆସନରେ ବିଜୟ ହାସଲ କରିଛି, ଯାହାକି ଆବଶ୍ୟକ ସଂଖ୍ୟା ଠାରୁ ୩୨ ଆସନ କମ୍।