ପୁରୁଷ ଆଖିରେ ଲୁହ
ଲୁହ ଲହୁର ଏ ସଂସାର । ବେଳେବେଳେ ହୃଦୟର ସାରତା ଲହୁ ଲୁହ ହୋଇ ପ୍ରକାଶ୍ୟର ଆଖିର ଧାରାରେ ପ୍ରବାହିତ ହେଲା ବେଳେ ମନର ଅକୁହା ଦୁଃଖକୁ ଧୋଇ ପାରିବାରେ ସାମର୍ଥ୍ୟ ହୋଇଥାଏ । ଯାହାକି ରାଶି, ରାଶି ଜଳ ଭଣ୍ଡାରର ଜଳ ଏହା କରିବାରେ ସମର୍ôଥତ ହୋଇନଥାଏ । ଏହି ହୃଦୟର ଲହୁର ସୃଷ୍ଟି ଲୁହକୁ ସମସ୍ତେ ଦେଖିପାରନ୍ତି ସତ କିନ୍ତୁ ସୃଷ୍ଟି ଲହୁ ଅଦେଖା ହୋଇ ରହିଯାଏ ।
ଲୁହ ଲହୁର ସଂସାର ଅତି ବିଚିତ୍ର । ଏହି ବିଚିତ୍ରତା ମଧ୍ୟରେ ପୁରୁଷ ଓ ନାରୀର ସୃଷ୍ଟି । ନାରୀର ହୃଦୟ ଓ ମନ ପୁରୁଷ ଠାରୁ ଭିନ୍ନ । କାରଣ ତାହାର କୋମଳ ହୃଦୟର ପରିଭାଷା ପୁରୁଷ ଠାରୁ ଅଲଗା । ଏହି ଭିନ୍ନତା ମଧ୍ୟରେ ନାରୀ ସଂସାରର ସମସ୍ତ ରାଶି ରାଶି ଦୁଃଖର ପାହାଡ଼ ଉପରେ ଛିଡ଼ା ହୋଇ ଆଖିର ଲୋତକର ଧାର ଓ ଓଠର କାଣିଚାଏ ହସରେ ସେ ସଂସାରକୁ ପୂର୍ଣ୍ଣତା ଆଣିଥାଏ । ନାରୀ ଆଖିର ଦୁଇ ଟୋପା ଲୁହ ତାହାର ନେତ୍ରକୁ ପବିତ୍ରତା କଲାବେଳେ ମନକୁ ସରସ ସୁନ୍ଦର କରି ଗଢ଼ି ତୋଳିଥାଏ । ଏହି ଅମାନିଆ ଆଖିର ଲୁହ ଆଷାଢ଼ର ବାରିଧାରା ଓ ଶରତ ସକାଳର କରକା ସଦୃଶ ହୋଇ ନାରୀର ମନକୁ ସ୍ୱଚ୍ଛ କରିବା ସଙ୍ଗେ ସଙ୍ଗେ ତାଙ୍କୁ ବଞ୍ôଚବାର ରାହା ଦେଇଥାଏ । ଦୈନନ୍ଦିନ ଜୀବନର ସମାଜରେ କେବଳ ଯେ, ନାରୀ କାନ୍ଦେ ତାହା ନୁହେଁ । ବରଂ ପୁରୁଷ ବି ତାର ପୁରୁଷତ୍ୱ ଆଖିରୁ ଲୁଚି ଲୁଚି ଲୁହ ଗୋଡ଼ାଇ ଥାଏ । ନାରୀ ଆଖିର ଲୁହ ସମସ୍ତେ ଦେଖିପାରନ୍ତି ସତ, ହେଲେ ପୁରୁଷର ଅକୁହା ଅମାନିଆ ଦୁଃଖର ଲୁହକୁ କେହି ଦେଖିପାରନ୍ତି ନାହିଁ । ସେହି ପୁରୁଷଟି ଆଖିର ଲୁହକୁ କେବଳ ମର୍ମେ ମର୍ମେ ଅନୁଭବ କରିପାରେ । ପୁରୁଷର ଜୀବନ ଦୋ ଛକିରେ ଛିଡ଼ା । ସଂଗ୍ରାମ ଜୀବନ ଭିତରେ କେତେବେଳେ ସେ ହାରିଯାଏ, ତ କେତେବେଳେ ଜିତିଯାଏ । ଏହି ହାରିବା, ଜିତିବାର ଦୁଃଖ ଓ ସୁଖ ଭିତରେ । ତା’ ଆଖିରେ ସୁଖ ଓ ଦୁଃଖର ଲୁହ ବୋହିଯାଏ । ହାରିବା ଜିତିବାର ଲୁହ ଏକା ହୋଇଥିଲେ ମଧ୍ୟ ହାରିବାର ଲୁହ ତାକୁ ଜୀବନ ରୂପକ ଚଲାପଥରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ । ଏହି ଦୀର୍ଘ ପଥ ଚାଲିବା ମଧ୍ୟରେ କେବେ କେବେ ସେ ଝୁଣ୍ଟି ପଡ଼ିଥାଏ । ଜୀବନର ଏହି ଲୁଚକାଳୀ ଝୁଣ୍ଟିବା ଓ ଉଠିବା ମଧ୍ୟରେ କେତେଯେ ଆଖିର ଲୁହକୁ ଚାପି ଚାପି ଅଦେଖାରେ କାନ୍ଦେ ତାହାର କଳନା ନାହିଁ । ଆଖିର ଏହି ଅବୁଝା ଲୁହକୁ ନାରୀ ଭଳି ଆଖିରେ ନ ଭିଜେଇ କେବଳ ହୃଦୟରେ ହିଁ ଭିଜେଇ ଥାଏ । ଏହି ଲୁହକୁ କେହି କେବେ ଦେଖିପାରନ୍ତି ନାହିଁ ସତ, ହେଲେ ହୃଦୟ ରୂପକ ପୃଷ୍ଠାରୁ ତାହାକୁ ପଢ଼ିହୁଏ ।
ପୁରୁଷଟି ମାତୃଗର୍ଭରୁ ଭୂମିଷ୍ଟ ହେଲାବେଳେ କୁଆଁ କୁଆଁ ରାବ ଛାଡ଼ିଥାଏ । ଏହି ରାବ ତାହାର ଆଖିରୁ ପ୍ରଥମ ଲୁହ ସୃଷ୍ଟି କରିଥାଏ । ଜୀବନ ଯୌବନ ଗଲା ପଥରେ ଚାଲିଲା ବେଳେ କେତେ ଯେ ଘାତ ପ୍ରତିଘାତ ଆସେ ତାହାକୁ ସେ ସହି ନପାରି ଆଖିରୁ ଦୁଇ ଟୋପା ଲୁହ ଗଡ଼ାଇ ଆଗକୁ ଚାଲିବାର ସକ୍ଷମ ହୋଇଥାଏ । ଯୌବନର ପ୍ରେମିକ ହୋଇ ଭଲ ପାଇବାର ନିଶା ଓ ପ୍ରେମିକାର ବିଚ୍ଛେଦ ତାକୁ ଯନ୍ତ୍ରଣାର ଜର୍ଜରିତ କଲାବେଳେ ଏହି ବିରହ ବିଚ୍ଛେଦ ପାଇଁ ସେ ଲୁଚି ଲୁଚି କାନ୍ଦିଥାଏ । ହେଲେ ସମାଜ ତାହାକୁ ଦେଖିପାରେ ନାହିଁ । ବିବାହ ବନ୍ଧନରେ ବାନ୍ଧି ବିବାହ ହେବାକୁ ଯିବାବେଳେ ମା’ର କନ କାଞ୍ଜଳୀ ବନ୍ଧା ଓ ମା’ର ଆଖିର ଲୁହ ଦେଖି ନିଜ ଆଖିରୁ ଦୁଇଧାର ଲୁହ ଗଡ଼ାଇ ମା’ କୋଳରୁ ବିଦାୟ ନେଇଥାଏ । ସଂସାର ରୂପକ ଚଲାପଥରେ ଉଭୟ ସ୍ୱାମୀ, ସ୍ତ୍ରୀ ଚାଲିଲା ବେଳେ ବେଳେ ବେଳେ ସ୍ତ୍ରୀ ଧୋକା ଦେଇ ପର ପୁରୁଷ ହାତ ଧରି ଚାଲିଗଲା ବେଳେ ଏହି ଅସହାୟ ଯନ୍ତ୍ରଣାକୁ ସହିନପାରି ପୁରୁଷଟି କାନ୍ଦିଥାଏ । ହେଲେ ଏହି ଆଖି ଲୁହକୁ ପୋଛିବା ପାଇଁ କେହି ନଥିବା ବେଳେ ନିଜର ମନକୁ ନିଜେ ବୁଝାଇ ଭାଗ୍ୟକୁ ଆଦୋରି ବଞ୍ôଚଥାଏ । ବେଳେବଳେ ଜନ୍ମିତ ପୁତ୍ର, କନ୍ୟାକୁ ଅଦିନରେ ହରାଇବାର ଦୁଃଖ ତା’ ଆଖିରେ ଲତକର ବନ୍ୟା ସୃଷ୍ଟି କରିଥାଏ । ବାତ୍ସଲ୍ୟମୟୀ ବୃଦ୍ଧ ପିତାମାତାଙ୍କୁ ହରାଇବାର ଦୁଃଖ ତା ଆଖିର ଅମାନିଆ ଲୁହ ସୃଷ୍ଟି କରିଥାଏ । ଏତିକିରେ ପୁରୁଷର ଆଖିରୁ ଲୁହ ସରେ ନାହିଁ । ବରଂ ଜୀବନର ଶେଷ ପୃଷ୍ଠ ପର୍ଯ୍ୟନ୍ତ ତା’ ଆଖିରୁ ଲୁହ ଝରିଥାଏ । ଅନେକ ଆଶାଭରଷା ନେଇ ପୁତ୍ର, କନ୍ୟାଙ୍କୁ ବିବାହ ଦେଇଥାଏ । ମାତ୍ର ବିବାହ ପରେ ପୁତ୍ର, ପୁତ୍ରବୋଧୂର ବ୍ୟବହାରରେ ଅତିଷ୍ଠ ହୋଇ ପୁରୁଷଟି କାନ୍ଦିଥାଏ । ଏହି କାନ୍ଦିବାର ଲୁହକୁ ସେ କାହାକୁ ଦେଖାଇପାରେ ନାହିଁ । ବାର୍ଦ୍ଧକ୍ୟର ଉପନୀତ ବୟସରେ ଯଦି ସ୍ତ୍ରୀ ଆରପାରିକି ଚାଲିଯାଏ, ତେବେ ନିସଙ୍ଗ ଜୀବନର ଧାରା ଏକ ହୋଇଗଲା ବେଳେ ଅତିତକୁ ମନେ ପକାଇ ପୁରୁଷଟି ଆଖିରୁ ଲୁହ ଗଡ଼ାଇଥାଏ । ବାର୍ଦ୍ଧକ୍ୟର କଷାଘାତରେ ପୀଡ଼ିତ ଥିବାବେଳେ ସେ ଅତୀତର ସାରା ଜୀବନ ଧନ, ସମ୍ପତ୍ତି, ମାନ, ସମ୍ମାନ ପଛରେ ଦୌଡ଼ି ଦୌଡ଼ି ହାଲିଆ ହୋଇଥିବା ପୁରୁଷଟି ଅତୀତ କଥା ଭାବି ଆଖିରୁ ଲୁହ ଗୋଡ଼ାଇଥାଏ । ସାରା ଜୀବନ ପୁରୁଷଟି କଠିନ ପରିଶ୍ରମ ଅର୍ଥ ଉପାର୍ଜନ ଓ ପାରିବାରିକ କର୍ତ୍ତବ୍ୟ ଛଡ଼ା ଜୀବନରେ ଆନନ୍ଦ କ’ଣ ସେ ଜାଣିପାରେ ନାହିଁ । ହେଲେ ଜାଣୁ ଜାଣୁ ବାଟ ସରିଯାଇଥାଏ । ଏବେ ରୋଗ ଶଯ୍ୟାରେ ପଡ଼ି ପଡ଼ି ଜୀବନର ଶେଷ କେଇଟା ନିଶ୍ୱାସର ହିସାବନିକାଶ କରୁ କରୁ ସେ ନିଜେ ନିଜେ କାନ୍ଦିଥାଏ । ଅନ୍ଧକାର ଭିତରେ ଡାକ୍ତରଖାନାରେ ଜୀବନ ରକ୍ଷକ ଯନ୍ତ୍ରପାତି ଓ ପାଳି କରି ଆସୁଥିବା ଟିକ୍ ଟିକ୍ ଶବ୍ଦ ଓ ଆଗନ୍ତୁକ ଯମଦୂତମାନଙ୍କର ପଦଧ୍ୱନୀର ଶବ୍ଦ ଶୁଣିଲା ବେଳେ ଅବୁଝା ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଏ । ଜୀବନ ସାରା ଧନସମ୍ପଦ ପଛରେ ଦୌଡ଼ିବାର ନିଶା ଆଜି ପରିଣତ ବୟସରେ ପୁରୁଷଟି ବୁଝିପାରେ । କାରଣ ଯେଉଁ ଧନ, ସମ୍ପଦକୁ ସେ କଷ୍ଟରେ ଅର୍ଜନ କରିଥିଲା, ସେହି ଧନସମ୍ପଦ ତାହା ସହିତ ଯିବେ ନାହିଁ, କି ତାକୁ ଏ ଧନସମ୍ପଦ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ ନାହିଁ । ଏହି କଥା ଭାବିବା ବେଳେ ତାର ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଯାଏ । ଜୀବନ ସାରା ପଇସା ଦେଇ ଡ୍ରାଇଭର ଓ କର୍ମଚାରୀ ରଖୁଥିଲା ବେଳେ କିନ୍ତୁ ଆଜି ନିଜ ରୋଗ ସଜ୍ୟାରେ ଶୋଇବା ପାଇଁ ଜଣେ ମାତ୍ର ବି ସାହା ନାହିଁ । ଏବେ ସେ ବୁଝୁଛି ଜୀବନରେ ଟଙ୍କା ପଇସା ନେଇ ସବୁକିଛି କିଣିହୁଏ ନାହିଁ । ଏକଥା ଭାବିବା ବେଳେ ଅସହାୟ ଆଖିରୁ ଦୁଇଟୋପା ଲୁହ ଗଡ଼ିଯାଏ । ଅପରେସନ୍ ଟେବୁଲ ଉପରେ ଶୋଇବା ସମୟରେ ଅନୁତାପର ବହ୍ନି ତାହା ଆଖିକୁ ଛଳ ଛଳ କରିଦେଇଥାଏ । ହେଲେ କ’ଣ ହେବ ଏହି ଛଳ ଛଳ ଆଖିର ଲୁହକୁ ଦେଖିବା ପାଇଁ ତାହା ପାଖରେ କେହି ନଥାଏ । ଜୀବନର ଶେଷ ନିଶ୍ୱାସର କିଛି କ୍ଷଣ ପୂର୍ବରୁ ରାମନାମ ଜପୁ ଥିବାବେଳେ ଶେଷ ଯାତ୍ରାର ଯାତ୍ରୀ ହିସାବରେ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ଚାଲିବା ବେଳେ ମୃତ୍ୟୁ କେବଳ ଏହି ଲୁହର ସାକ୍ଷୀ ବହନ କରୁଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!
ନରୋତ୍ତମ ଷଡଙ୍ଗୀ
ସହକାରୀ ଶିକ୍ଷକ, ଚିନ୍ତାମଣି
ହାଇସ୍କୁଲ, ଦହପଡ଼ା, ବାଲେଶ୍ୱର- ମୋ :୯୪୩୮୭୫୭୬୮୧/ ୭୯୭୮୩୭୮୧୯୯
Nice story sir
Thanks…