ବିଜୁ ବାବୁ : ଇଗଲ ପରି ଉଡିବା, ଝଡ଼ ସହ ଲଢ଼ିବା…
ଆଜି ଓଡ଼ିଶାର କିମ୍ବଦନ୍ତୀ ମହାନାୟକ ପ୍ରବାଦ ଜନନେତା ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ବିଜୁ ବାବୁ ଜଣେ ଏପରି ଏ ମାଟି ଓ ରାଜ୍ୟକୁ ଭଲ ପାଉଥିଲେ ତାଙ୍କୁ କଳିଙ୍ଗ ପୁତ୍ର ମଧ୍ୟ କୁହାଯାଏ । ବିଜୁ ପଟ୍ଟନାୟକ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ବୀରତ୍ୱର ଗାଥା ସର୍ବତ୍ର ଗୁଞ୍ଜରିତ ହେଉଛି । ବିଶେଷକରି ଦୁଃସାହାସିକ ବିମାନ ଚାଳନା ପାଇଁ ଆଜି ଦେଶ ବିଦେଶରେ ସେ ଅମର ହୋଇରହିଛନ୍ତି ।
ରାଜନୀତି ଠାରୁ ଆରମ୍ଭ କରି ବିମାନ ଚାଳନା ପର୍ଯ୍ୟନ୍ତ ସବୁଠି ତାଙ୍କର ସାହସିକ କାର୍ଯ୍ୟ, ଚିନ୍ତାଧାରା ଓ ନିଷ୍ପତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇରହି ଆସିଛି । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ହେଉ ଅବା ଜମ୍ମୁକାଶ୍ମୀରରେ ପାକିସ୍ତାନୀ ସୈନିକଙ୍କ ଆକ୍ରମଣ, ସବୁ କ୍ଷେତ୍ରରେ ବିଜୁବାବୁ ଅତୁଳନୀୟ ଦକ୍ଷତା ଓ ଅସୀମ ସାହସର ପରିଚୟ ଦେଇଛନ୍ତି । ବିମାନ ଚାଳନା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତିବର୍ଷ ବିଜୁବାବୁଙ୍କ ଜୟନ୍ତୀକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବେ ପାଳନ କରିବ ବୋଲି ଘୋଷଣା କରିଛି । ସେହିପରି ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ କ୍ଲବ ନିଷ୍ପତି ଗ୍ରହଣ କରିଛି ।
ଗତ ବର୍ଷ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଏକ ଭିଡ଼ିଓ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ବାବୁଙ୍କ ଦୁଃସାହସିକ ବିମାନ ଚାଳନା କାହାଣୀ ଆଜି କିମ୍ବଦନ୍ତୀ ହୋଇ ଘରେ ଘରେ ତାଙ୍କ ବୀରତ୍ୱ ଓ ଦେଶଭକ୍ତିର ଗାଥା ବର୍ଣ୍ଣନା କରୁଛି । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ବିଜୁ ବାବୁଙ୍କ ପ୍ରଶିକ୍ଷଣ ଦେଶର ବିମାନ ଚାଳନା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ବିମାନ ଚାଳନା ପାଇଁ ପ୍ରବଳ ଆଗ୍ରହ ଯୋଗୁଁ ବିଜୁ ବାବୁ ୧୯୩୦ ଦଶକର ପ୍ରାରମ୍ଭରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଆଉ ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଗୌରବମୟ ଗାଥା । ଇଗଲ ପରି ଆକାଶରେ ଉଡିବା ଏବଂ ଝଡ଼ ସହ ଲଢ଼ିବା ଥିଲା ତାଙ୍କର ନିଶା । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ତାଙ୍କର ଏହି ଅଭିଳାଷ ପୂରଣ କରିଥିଲା । ସେ ବୋଧହୁଏ ଏକମାତ୍ର ସଂଗ୍ରାମୀ ଯିଏକି ତିନିଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । କେବଳ ଭାରତ ନୁହେଁ, ଇଣ୍ଡୋନେସିଆ ଓ ରୁଷିଆର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭାରତରେ ଜୟପ୍ରକାଶ ନାରାୟଣ ଓ ଅରୁଣା ଆସଫ ଅଲ୍ଲୀଙ୍କ ପରି ନେତୃବୃନ୍ଦଙ୍କୁ ବିମାନ ଯୋଗେ ବିଭିନ୍ନ ସ୍ଥାନକୁ ନେଇ ବ୍ରିଟିଶ କର୍ତୃପକ୍ଷଙ୍କ ନଜରରୁ ସେମାନଙ୍କୁ ରକ୍ଷା କରିଥିଲେ । ଏଥିପାଇଁ ତାଙ୍କୁ ବ୍ରିଟିଶ ସରକାରଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ଏବଂ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା ।
ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବିଶ୍ୱବିଦିତ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ରୁଷିଆର ରେଡ଼ ଆର୍ମିକୁ ମଧ୍ୟ ସହାୟତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଜଣେ ପାଇଲଟ ଭାବରେ ବିଜୁ ବାବୁଙ୍କ ଗୌରବମୟ ଯାତ୍ରା ପଛରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ଯଥେଷ୍ଟ ଅବଦାନ ରହିଛି । ଏଥିପାଇଁ ସାରା ଓଡ଼ିଶା ଓ ଭାରତବାସୀ ଏହି କ୍ଲବର ଭୂମିକାକୁ ସର୍ବଦା ମନେ ରଖିବେ । ଜଣେ ଦକ୍ଷ ପାଇଲଟ ଭାବରେ ବିଜୁ ବାବୁଙ୍କ ସ୍ମୃତିକୁ ପୁନର୍ଜୀବିତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ଡ.ବି.ବି.ଏଲ୍ ମଧୁକରଙ୍କୁ ଧନ୍ୟବାଦ ଦେଇ ଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବିଜୁବାବୁ ଆମ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଓ ରହିବେ । ଯେ କୌଣସି ପରିସ୍ଥିତି ହେଉ ପଛେ, ଗରିବ ଓ ଦୁର୍ବଳ ଲୋକକୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ସେ ଆମକୁ ପ୍ରେରଣା ଦେଇ ଆସିଛନ୍ତି । ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏବଂ କଳିଙ୍ଗର ଗୌରବକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଆ ଜାତିର ଗର୍ବ ଓ ଗୌରବ କୁହାଯାଉଥିବା କିମ୍ବଦନ୍ତୀ ମହାନାୟକ ବିଜୁ ପଟ୍ଟନାୟକଙ୍କ ଏ ଜାତି ପ୍ରତି ଅବଦାନ ଚିର ସ୍ମରଣୀୟ । ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ କ୍ରାନ୍ତିକାରୀ, ବଳିଷ୍ଠ ନେତୃତ୍ୱ ଓଡ଼ିଶା ରାଜନୀତିରେ ମଧ୍ୟ ସ୍ୱତନ୍ତ୍ରତା ସୃଷ୍ଟି କରିଥିଲା । ବିଶେଷକରି ଯୁବପିଢ଼ୀଙ୍କ ପାଇଁ ସେ ଥିଲେ ସାହାସ ଓ ସହଯୋଗର ମୂର୍ତିମନ୍ତ ପ୍ରତୀକ । ଅନେକ ହୁଏତ ଜାଣି ନଥିବେ ଭାରତୀୟ ମୁକ୍ତି ସଂଗ୍ରାମରେ ତାଙ୍କ ଅବଦାନ ସ୍ମରଣୀୟ ଓ ଚିରଦିନ ପାଇଁ ଅଭୁଲା । କଳିଙ୍ଗ ବୀର ଭାବେ ସେ ଏ ଜାତିର ମଉଡମଣି ।
ଆଜି ତାଙ୍କରି ନାମରେ ଗଠିତ ହୋଇ ଥିବା ବିଜେଡ଼ି ଦଳ ଭାରତର ସର୍ବଶ୍ରେଷ୍ଠ ଓ ଶକ୍ତିଶାଳୀ ପ୍ରମୁଖ ଆଂଚଳିକ ଦଳର ମର୍ଯ୍ୟାଦା ପାଇଛି । ନିକଟରେ ପଞ୍ଚାୟତ ପରି ତୃଣମୂଳ ସ୍ତରରୁ ଓଡ଼ିଶାବାସୀଙ୍କ ଅକୁଣ୍ଠ ସମର୍ଥନ ପାଇ ବିଜେଡ଼ି ସୁନାମୀ ଭାବେ ଦଳ ଅଦ୍ଭୁତପୂର୍ବ ବିଜୟଲାଭ କରିବା ସହ ଏ ରାଜ୍ୟବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ମଧ୍ୟ ପାଇଛି । ଓଡ଼ିଶାବାସୀଙ୍କ ବିକାଶ ଓ ସେବା ପାଇଁ ସରକାର ପ୍ରତିଟି କ୍ଷଣ ପ୍ରତିଶ୍ରୁତିବଦ୍ଧ ହୋଇ ଏ ରାଜ୍ୟର ବିକାଶ ପାଇଁ ଅନେକ କ୍ରାନ୍ତିକାରୀ ଯୋଜନା ହାତକୁ ନେଉଛନ୍ତି । ଏ ସବୁ କ୍ଷେତ୍ରରେ ମନେପଡ଼ନ୍ତି ବିଜୁବାବୁ । ନିଜ ଜାତି ଓ ରାଜ୍ୟକୁ ନେଇ ଗର୍ବ ଅନୁଭବ କରୁଥିବା ବିଜୁ ବାବୁଙ୍କୁ ଯେତେ ପ୍ରଶଂସା କଲେ କମ ପଡ଼ିଯିବ । ସେ ଯଥାର୍ଥରେ ଥିଲେ ଏ ଜାତିର ମଉଡମଣି । କୋଟି କୋଟି ଓଡ଼ିଆଙ୍କ ସହ ତାଙ୍କ ପ୍ରତି ଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।