ମହାମାରୀ କୋଭିଡ଼ ଓ ଅସ୍ପୃଶ୍ୟତା

ଭାରତ ପରାଧୀନ ଥିଲା ବେଳେ ଦଳିତ ମାନଙ୍କର ଜୀବନ ଅବହେଳିତ ଥିଲା, କାରଣ ଏହି ଦଳିତମାନେ ହିଁ ସାମଜର ସମସ୍ତ ଉଚ୍ଚବର୍ଗ ଯଥା- ବ୍ରାହ୍ମଣ ଓ କ୍ଷତ୍ରିୟ ମାନଙ୍କର ବିଭିନ୍ନ ସେବାରେ ନିୟୋଜିତ ଥିଲେ । ଭାରତରେ ଏହି ପ୍ରକାର ସେବାରେ ନିୟୋଜିତ ଥିବା ଜାତିଙ୍କୁ ସେତେବେଳର ସମାଜ ଦଳିତ ଆଖ୍ୟା ଦେଉଥିଲେ । ଏହି ସେବା କାର୍ଯ୍ୟ କେବଳ ଭାରତରେ ଯେ ଥିଲା ତାହା ନୁହେଁ, ଅନେକ ଦେଶରେ ଏହି ପ୍ରଥା କାର୍ଯ୍ୟକାରୀ ହୋଇ ଆସୁଥିଲା । ଭାରତରେ ଏହାକୁ ଦଳିତ କୁହାଯିବା ବେଳେ କୋରିଆରେ ଏହାକୁ (Backjeong) ଜାପାନରେ ଏହାକୁ (Burakuman), ତିବ୍ଦତରେ (Ragyabpa) ଓ ଚାଇନାରେ (Tanka) କୁହାଯାଉ ଥିଲା । ସେ ଯାହା ବି ହେଉନା କାହିଁକି ଏହି ପ୍ରକାର ଘୃଣ୍ୟ ପ୍ରଥା ସେତେବେଳେ ସମାଜରେ ପ୍ରଚଳିତ ଥିବାରୁ ସେମାନଙ୍କର ଜୀବନ ପରାଧୀନ ଓ ଦୁଃଖଦାୟକ ଥିଲା । ଭାରତରେ ଏହି ଦଳିତ ମାନଙ୍କର ଜୀବନ ଅନ୍ୟମାନଙ୍କର ଜୀବନ ଠାରୁ ଭିନ୍ନ ଥିଲା । ଏହି ଦଳିତ ମାନେ ହିଁ ସେତେବେଳେ ସମାଜରେ ଅସ୍ପୃଶ୍ୟତାର ଶୀକାର ହେଉଥିଲେ । ଏହି ଅସ୍ପୃଶ୍ୟତା ବା (untouchebielity) ଶବ୍ଦଟି ଘୃଣ୍ୟଦାୟକ ଥିଲେ ମଧ୍ୟ ସେମାନଙ୍କର ଜୀବନରେ ଏହାଚୀର ସହଚର ଥିଲା । ଏହି ଅସ୍ପୃଶ୍ୟତା ରୂପକ ବ୍ୟାଧି ଯୋଗୁଁ ସେମାନଙ୍କୁ ସମାଜ ଠାରୁ ବହୁ ଦୂରରେ ରହିବାକୁ ପଡ଼ୁଥିଲା । ଏମିତିକି ସାମାଜିକ, ଧାର୍ମିକ କାର୍ଯ୍ୟରେ ତାଙ୍କୁ ଅଛୁଆଁ କରାଯାଉଥିଲା । ସାଧାରଣ ହୋଟେଲ, ବିଦ୍ୟାଳୟକୁ ତାଙ୍କୁ ବାସନ୍ଦ କରାଯାଉଥିଲା । ସେମାନେ ସମାଜରେ ସସ୍ତ କାମ ସୂଚାରୁ ରୂପେ ସମାପନ କରୁଥିଲେ ମଧ୍ୟ ତାଙ୍କୁ ବହୁତ ଦୁଃଖକଷ୍ଟ ଭୋଗିବାକୁ ପଡ଼ୁଥିଲା । ସେମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହିବା ସଂଗେ ସଂଗେ ଅଶିକ୍ଷା, ଅଭାବ ଅନାଟନ ତାଙ୍କ ଜୀବନକୁ ଆହୁରି କୁତ୍ସିତ କରିୂ ଦେଉଥିଲା । ସେତେବେଳେ ଏହି ଦଳିତମାନେ ଶିକ୍ଷାଠାରୁ ବହୁତ ଦୂରରେ ଥିବାରୁ ତାଙ୍କୁ ଶାରୀରିକ ଓ ମାନସିକ କ୍ଷେତ୍ରରେ ଅନେକ ଯନ୍ତ୍ରଣା ସହିବାକୁ ପଡ଼ୁଥିଲା । ତାଙ୍କୁ ଛୁଇଁଲେ ଅପବିତ୍ର ଭାବି ତାଙ୍କୁ ଅଛୁଆଁ ରଖାଯାଉଥିଲା । ମାତ୍ର ଏହି କୁତ୍ସିତ ପ୍ରଥା ପରମ୍ପରାକୁ ଉଠାଇ ସମସ୍ତେ ଏକ ଓ ଅଭିନ୍ନ ହେବା ପାଇଁ ମହାତ୍ମାଗାନ୍ଧୀ ଓ ଆମ୍ବେଦକରଙ୍କର ବଳିଷ୍ଠ ନେତୃତ୍ୱରେ ଅସ୍ପୃଶ୍ୟତାକୁ ସମାଜରୁ ହଟାଇ ଏକ ସୁସ୍ଥ ସୁନ୍ଦର ସମାଜ ଗଢ଼ିବା ପଇଁ ସେମାନଙ୍କର ଉଦ୍ୟମ ଥିଲ।। ଯାହାକି ଆଜି ଭାରତ ଏହି ବ୍ୟାଧିରୁ ମୁକୁଳିବା ସଂଗେ ସଂଗେ ନୂତନ ରୂପରେଖରେ ଭାରତ ପଦାର୍ପଣ କରିଛି ।
୧୯୫୦ ମସିହା (National Constituency) ଏହି ଅସ୍ପୃଶ୍ୟତାକୁ ଉଠାଇବା ପାଇଁ ଏକ ଆଇନ ପ୍ରଣୟନ କରିଥିଲା । ୧୯୫୬ ମସିହାର ଦଳିତ (Movement) ଏହାକୁ ଆହୁରି ଆଗକୁ ନେଇ ଉନ୍ନତ ଭାରତରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଗୋଟିଏ କରିପାରିଥିଲା । ସେତେବେଳର ସମାଜ ଓ ବ୍ୟକ୍ତିବିଶେଷ କୁସଂସ୍କାରରେ ବୁଡ଼ି ରହିଥିଲେ । ସେତେବେଳର ଏହି ଅସ୍ପୃଶ୍ୟତା କେବଳ ଅଶିକ୍ଷିତ ସମାଜ ଓ ଅଶିକ୍ଷିତ ଲୋକମାନଙ୍କ ଦ୍ୱାରା ସଂଗଠିତ ହୋଇଥିଲା । ଯାହାକି ଏବେର ଆଧୁନିକ ଶିକ୍ଷା ଲୋକମାନଙ୍କର ଆଖି ଖୋଲି ଦେଇଛି ଓ ଆଜି ସମସ୍ତେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗର୍ବ କରିପାରୁଛନ୍ତି । ସ୍ୱାଧୀନତାର ୭୩ ବର୍ଷ ପରେ ବି ପୁନଶ୍ଚ ଏହାର ପୁନରାବୃତ୍ତି ଘଟିଛି । ଯାହାକି ସଂକ୍ରମଣ ଆମ ଶିକ୍ଷିତ ଓ ଅଶିକ୍ଷିତ ସମାଜ ପାଇଁ ଆଉ ଏକ ଅସ୍ପୃଶ୍ୟତା ସମାଜରେ ସୃଷ୍ଟି କରିବାକୁ ଯାଉଛି ତାହା ହେଉଛି କରୋନା ମହାମାରୀ । ଦେଖିବାକୁ ଗଲେ ଭାରତରେ ଭାରତୀୟ ମାନେ ଅନେକ ମହାମାରୀ ଦେଖିଥିଲା ବେଳେ କରୋନା ମହାମାରୀ ଅବଶ୍ୟ ତାହା ଠାରୁ ଭିନ୍ନ । ଏହି ମହାମାରୀ ଭିନ୍ନ ହୋଇଥିଲେ ମଧ୍ୟ ଆମକୁ ସାହସର ସହ ମୁକାବିଲା ନକରି, କେବଳ ଅସ୍ପୃଶ୍ୟତାକୁ ଦ୍ୱାହି ଦେଇ ବଂଚିବା ଠାରୁ ଶଠତା କ’ଣ ଥାଇପାରେ ? ଏହା କଣ ଭାରତବାସୀଙ୍କ ପାଇଁ ଧ୍ୱଂସବିଧ୍ୱଂସ ସୃଷ୍ଟି କରିଚାଲିଛି । ଏହି ମହାମାରୀ ଭାରତୀୟ ସମାଜରେ ଆଉ ଏକ ଜାତିଆଣ ଭାବ ସୃଷ୍ଟି କରୁଛି । କିନ୍ତୁ ଏହି ଜାତିଆଣ ବା ଅସ୍ପୃଶ୍ୟତା ବର୍ତ୍ତମାନର ଅଶିକ୍ଷିତ ଲୋକମାନଙ୍କ ଦ୍ୱାରା ନ ହୋଇ କେବଳ ଭାରତର ଶିକ୍ଷିତ ସମାଜ ଏହାକୁ ସୃଷ୍ଟି କରିଛନ୍ତି । ମାତ୍ର ଶିକ୍ଷିତ ସମାଜ ଚାହିଁଲେ ଏସବୁର ପରିବର୍ତ୍ତନ ହୋଇ ପାରିବ । ପ୍ରତ୍ୟେକ ଦେଶ, ଜାତି ତାହାର ଘଡ଼ିସନ୍ଧି ମୁହୂର୍ତ୍ତରେ ଧୈର୍ଯ୍ୟ, ସେବା ଦ୍ୱାରା ତାହାର ପୂର୍ବ ଗୌରବ ଫେରି ପାଇପାରେ ମାତ୍ର ଏବେ ଭାରତରେ ଏହି ଭାବନା ଦୂରେଇ ଯାଇଛି । କରୋନା ମହାମାରୀ ଲୋକମାନଙ୍କର ମାନସପଟକୁ ଦୋହଲାଇ ଦେଇଥିବା ବେଳେ ସାହାଯ୍ୟ ପରିବର୍ତ୍ତେ କରୋନାର ଦ୍ୱାହି ଦେଇ ଶିକ୍ଷିତ ସମାଜ ସାମାଜିକ ବାସନ୍ଦ ସୃଷ୍ଟି କରୁଛି । ଆଜି ଆମେ ଆଧୁନିକ ଯୁଗର ନାଗରିକ ହୋଇ ମହାମାରୀ କରୋନାକୁ ହରାଇବା ପରିବର୍ତ୍ତେ କେବଳ ସାମାଜିକ ବାସନ୍ଦ ସୃଷ୍ଟି କରୁଛି । ଏହା କେବଳ ଗୋଟିଏ ଶିକ୍ଷିତ ସମାଜ ପାଇଁ ଗ୍ରହଣୀୟ ନୁହଁ । ଆଜି ଦ୍ୱିତୀୟ ଲହରୀ କରୋନା କେବଳ ଭାରତୀୟ ସହରରେ ତାହାର କାୟାବିସ୍ତାର କରିନାହିଁ ବରଂ ଏହି ମହାମାରୀ ସୁଦୂର ଗ୍ରାମାଭିମୁଖୀ ହୋଇ ପାରିଛି । ଗାଗାଁରେ କରୋନାର ପ୍ରକୋପ ପାଇଁ ଲୋକମାନେ ତତ୍ରାହି ତ୍ରାହି ଡାକୁଥିଲା ବେଳେ ତାହାକୁ ସାମାଜିକ କ୍ଷେତ୍ରରେ ନିଷ୍ପେସିତ କରାଯାଉଛି । ଏହି କରୋନା ଯେ, ମୃତ୍ୟୁର କରାଳକାୟା ବିସ୍ତାର କରୁଛି ତାହା ନୁହେଁ ବରଂ ଲୋକମାନଙ୍କର ଅର୍ଥନୈତିକ ମେରୁଦଣ୍ଡକୁ ମଧ୍ୟ ଭାଙ୍ଗି ଦେଇଛି । ଏହି ସମୟରେ ଆମେ ସମସ୍ତେ ସହନଶୀଳତା ରୂପକ ଏକତା ରଜ୍ଜୁରେ ବାନ୍ଧି ହୋଇ କରୋନାକୁ ହରାଇ ପାରିଲେ ତାହା ଆମ ଭାରତୀୟ ପରଂପରା ପ୍ରତି ସମ୍ମାନ ହେବା ସଂଗେ ସଂଗେ ଗାନ୍ଧିଜୀଙ୍କର ସ୍ୱପ୍ନ ସଫଳ ହୋଇପାରିବ । ଆଜି ଆମ ସମସ୍ତଙ୍କର ସ୍ଲୋଗନ ହେବା ଉଚିତ “ରୋଗକୁ ଘୃଣାକର ରୋଗୀକୁ ନୁହଁ” ।
ଆଜି କେହି ବ୍ୟକ୍ତି କରୋନାରେ ପୀଡ଼ିତ ହେଲେ ତତାହାକୁ ସାମାଜିକ ବାସନ୍ଦ କରାଯାଉଛି । ଏଭଳିକି ସେହି ପରିବାରରେ କେହି ମୃତ୍ୟୁମୁଖରେ ପଡ଼ିଲେ ମଧ୍ୟ ତାହାର ଶବସତ୍କାର ପାଇଁ ପାରିବାରିକ ଲୋକ ମଧ୍ୟ ହାତ ବଢ଼ାଉ ନାହାଁନ୍ତି । ଆତ୍ମୀୟଙ୍କ ଠାରୁ ପଡୋଶୀ ମାନଙ୍କ ପର୍ଯ୍ୟନ୍ତ ଏହାକୁ ଘୃଣ୍ୟ ଆଖିରେ ଦେଖୁଛନ୍ତି । ନିଆଁପାଣି ବନ୍ଦ କଲାଭଳି ବ୍ୟବହାର କରାଯାଉଛି । ସତେଯେମିତି ସେହି ରୋଗୀଟି ଅଭିଶପ୍ତ କରୋନାକୁ କେଉଁଠୁ ନେଇ ଆସିଛି । ଏହି ପ୍ରକାର ବ୍ୟବହାର କେତେ ହେଲେ ଆଦର୍ଶଗତ ଭାରତର ପରିପନ୍ଥୀ ନୁହଁ । କରୋନାରେ ସଢ଼ୁଥିବା ବ୍ୟକ୍ତି ଓ ପରିବାରକୁ ଘୃଣା କରିବା ଦ୍ୱାରା ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ୁଛି ଓ ନିଜକୁ ଲଜ୍ଜିତ ମନେ କରି ଏକ ଘରକିଆ ଓ ନିଃସଙ୍ଗ ଜୀବନ ଭିତରେ ମୂଲ୍ୟବାନ ଜୀବନକୁ ଅକାଳରେ ହରାଉଛି । ଏହାଦ୍ୱାରା ଗ୍ରାମର ୧୦୦ ବର୍ଷର ସେହି ପୁରୁଣା ଅସ୍ପୃଶ୍ୟତା ପୁଣି ଥରେ ସୃଷ୍ଟି ହେବାକୁ ଯାଉଛି । ଯେଉଁ ଅସ୍ପୃଶ୍ୟତାକୁ ଗାନ୍ଧିଜୀ ସମାଜରୁ ଉଠାଇ ଦେଇଥିଲେ ଆଜି ଆଉ ଗୋଟେ ଅସ୍ପୃଶ୍ୟତା ମୁଣ୍ଡ ଟେକୁଛି । ଏହା କେବେ ହେଲେ ଗୋଟିଏ ଶିକ୍ଷିତ ସମାଜରେ ଗ୍ରହଣୀୟ ନୁହେଁ । ବାସ୍ତବିକ ଆଜି ଯେଉଁମାନେ କରୋନାକୁ ଦ୍ୱାହି ଦେଇ ସାମାଜିକ ବାସନ୍ଦ ସୃଷ୍ଟି କୁଛନ୍ତି ସୋନେ ଉଚ୍ଚଶିକ୍ଷିତ ଓ ମର୍ଯ୍ୟାଦାବନ୍ତ ଲୋକ ଅଟନ୍ତି । କିନ୍ତୁ ଯେତେବେଳେ ଏହି ଶିକ୍ଷିତ ଘୃଣା କରୁଥିବା ପରିବାରଟି ନିଜେ କରୋନା ଦ୍ୱାରା ଆକ୍ରାନ୍ତ ହେଉଛି ସେତେବେଳେ ସେହି ପରିବାରର ବ୍ୟକ୍ତି ସେହି ଘୃଣାର କଷ୍ଟକୁ ମର୍ମେ ମର୍ମେ ଉପଲବ୍ଧ କରି ପାପର ପ୍ରାୟଶ୍ଚିତ କଲାଭଳି ଗୁମୁରି ଗୁମୁରି କାନ୍ଦୁଛି । ସାଧାରଣ ଅପାଠୁଆ ଗରିବ ଲୋକଟି ଏହି ଘୃଣିତ ମାୟାଜାଲରେ ନ ପଡ଼ୁଥିବା ବେଳେ ଉଚ୍ଚଶିକ୍ଷିତ ସମାଜ ଏହି କରୋନା ମହାମାରୀ ଅସ୍ପୃଶ୍ୟତାକୁ ତାଙ୍କ ଉପରେ ଜୋର ଜବରଦସ୍ତ ଲଦି ଦେଉଛନ୍ତି । ଏହି କରୋନା ରୂପକ ଅଦିନିଆ ଝଡ଼ କେତେ ଯେ, ପରିବାରକୁ ଧୂଳିସାତ କରାିଛି କେତେ ଯେ ପପୁତ୍ର ପିତୃହରା ହୋଇଛନ୍ତି, କେତେ ଯେ ସଧବା ସ୍ତ୍ରୀ ମୁଣ୍ଡରୁସିନ୍ଦୁର ଲିଭିଯାଇଛି ଓ ହାତରୁ ଶଙ୍ଖା ଉଜୁଡ଼ି ଯାଇଛି, କେତେ ଯେ, କୋମଳମତି ପିଲାମାନେ ବେସାହାରା ହୋଇ ଯାଇଛନ୍ତି ତାହାର କଳନା ନାହିଁ । ଏହି ଦୁଃଖଦ ସମୟରେ ଛିଡ଼ା ହେବା ପରିବର୍ତ୍ତେ ସାମାଜିକ ବାସନ୍ଦର ଦୁଃଖ ସେ ଦୁଃଖଠୁ ବଳି ଯାଉଛି । ଏହି ପ୍ରକାର ଘୃଣ୍ୟ ସାମାଜିକ ବାନ୍ଦ ପାଇଁ ଅନେକ କରୋନା ଆକ୍ରାନ୍ତ ରୋଗୀ ‘କରୋନା ଟେଷ୍ଟ’ ନକରି ଅକାଳ ମୃତ୍ୟୁ ମୁଖରେ ପଡ଼ିବା ସଂଗେ ସଂଗେ ଏହି କରୋନା ରୋଗୀ ମାନେ ଅତି ସହଜରେ ଘରେ ଘରେ କରୋନାକୁ ଜାଉଛନ୍ତି । ଏହା ଦ୍ୱାରା ଏହି କରୋନା ଆଜିର କରୋନା ମହାମାରୀର ପରିଣତ ହୋଇଛି । ଆମେ କରୋନା ଠାରୁ ଦୂରରେ ରହିବା ଓ ସରକାରଙ୍କ ସବୁ ଗାଇଡ଼ ଲାଇନ ମାନିବା ଓ ସବୁ ପୀଡ଼ିତାଙ୍କୁ ବାସନ୍ଦ ନକରି ଯଥାସମ୍ଭବ ସହଯୋଗର ହାତ ବଢ଼ାଇବା ଓ ଫୋନ୍ କଲ ମାଧ୍ୟମରେ ବା ଦୂରତା ରକ୍ଷା କରି ତାଙ୍କୁ ସହଯୋଗର ହାତ ବଢ଼ାଇବା । ଏହାଦ୍ୱାରା ପୀଡ଼ିତା ବ୍ୟକ୍ତି ଓ ପରିବାର ମାନସିକ ସ୍ତରରେ ସୁସ୍ଥ ହୋଇପାରିଲେ ସେ କରୋନାକୁ ପରାସ୍ତ କରିପାରିବ । ଏହାଦ୍ୱାରା ସମାଜରେ ଦ୍ୱିତୀୟ ବାର ଅସ୍ପୃଶ୍ୟତା ସୃଷ୍ଟି ନ ହୋଇ ଗାନ୍ଧୀ , ଗୋପବନ୍ଧୁଙ୍କର ସୁନ୍ଦର ଭାରତ ଗଠନ ହୋଇପାରିବ । ଏହା ହେଲେ କରୋନାରେ ପୀଡ଼ିତ କରୋନାକୁ ନ ଲୁଚାଇ କ୍ୱାରେନଟାଇନ୍ ବା ହୋମ ଆଇସୋଲେସନରେ ରହି କରୋନାରୁ ମୁକ୍ତ ହୋଇ ପାରିବେ ଅହିଂସାରୂପକ ଭାରତୀୟ ସମାଜ ସୁସ୍ଥ ଓ ନିରାମୟ ସମାଜ ଗଠନ କରିବା ସଂଗେ ସଂଗେ ଭାତୃତ୍ୱର ସହ ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ପାରିବ ଏବଂ ଭାରତ କରୋନା ରୂପକ ମହାମାରୀରୁ ତ୍ରାହି ପାଇପାରିବ ।
ବନ୍ଧୁଗଣ ! ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ !
ନରୋତ୍ତମ ଷଡଙ୍ଗୀ
ସହକାରୀ ଶିକ୍ଷକ, ଚିନ୍ତାମଣି
ହାଇସ୍କୁଲ, ଦହପଡ଼ା, ବାଲେଶ୍ୱର- ମୋ :୯୪୩୮୭୫୭୬୮୧
I am completely agree with it.
I appreciate….