ଆଜି ପୂର୍ଣ୍ଣାଙ୍ଗ ବଜେଟ୍, ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଆସିବ ରାଜ୍ୟ ବଜେଟ୍। ନୂଆ ସରକାର, ନୂଆ ବଜେଟ୍। ବିଜେପି ସରକାର ପ୍ରଥମ କରି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଆଜି ଅପରାହ୍ନରେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ। ପୂର୍ବତନ ସରକାରଙ୍କ ଯୋଜନା ଉପରେ ଅର୍ଥ ବ୍ୟୟବରାଦ ଏବଂ ବିଜେପି ପକ୍ଷରୁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ବିକଶିତ ଓଡ଼ିଶା ଗଠନ ନେଇ ଯେଉଁ ସଙ୍କଳ୍ପ ରହିଛି ତାକୁ ଗୁରୁତ୍ୱ ଦେଇ ଗଠନ କରାଯାଇଛି ବଜେଟ୍। ତେଣୁ ପୂର୍ବ ଅପେକ୍ଷା ଏଥର ବଜେଟର ଆକାର ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ୍ ଆଣିପାରନ୍ତି ସରକାର। ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ କଣ ଭେଟି ଦେଉଛନ୍ତି ନୂଆ ସରକାର ତାହା ଉପରେ ସମସ୍ତଙ୍କ ନଜର ରହିଛି l
। ସାଧାରଣ ନିର୍ବାଚନ ସମୟରେ କୃଷି ଓ ଗ୍ରାମୀଣ ବିକାଶ ପାଇଁ ବିଜେପି ୨୧ଟି ପ୍ରତିଶ୍ରୁତି ପୂରଣ କରିବା ନିମନ୍ତେ ଇସ୍ତାହାରରେ ଘୋଷଣା କରିଥିଲା। ଭିତ୍ତିଭୂମିର ସୁଦୃଢ଼ୀକରଣ, ସ୍ୱାସ୍ଥ୍ୟସେବାର ଅଭିବୃଦ୍ଧି, ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ, ପ୍ରାଥମିକ ଓ ଉଚ୍ଚ ଶିକ୍ଷାରେ ଉନ୍ନତି ଏବଂ ନିୟୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରୋତ୍ସାହନ ଦିଆଯିବା ଭଳି ଗୁରୁତ୍ବ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲା ବିଜେପି। ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କାର ନଗଦ ଅର୍ଥପାତ୍ର(ଭାଉଚର) ଦିଆଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରଥମ କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବିଧବା, ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ମାସିକ ୩ ହଜାର ଟଙ୍କା ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରିବା ପାଇଁ ଯୋଜନା ରହିଛି। ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୧ଶହ ଏମଏସପି ଦେବାକୁ ମଧ୍ୟ ବିଜେପି ପ୍ରତିଶ୍ରୁତି ଦେଇଥିଲା। କେନ୍ଦ୍ର ସରକାର ୨୩ ଶହ ଟଙ୍କା ଏମଏସପି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ପ୍ରତିଶ୍ରୁତି ପାଳନ କରିବାକୁ କ୍ବିଣ୍ଟାଲ ପିଛା ୮ଶହ ଟଙ୍କା ଅଧିକ ଦେବାକୁ ପଡିବ। ଏଥିପାଇଁ ସରକାର ଅତିରିକ୍ତ ବୋଝ ୬, ୩୩୩ କୋଟି ଟଙ୍କା ବହନ କରିବାକୁ ପଡିବ। ସେହିଭଳି କେନ୍ଦୁପତ୍ର କଲ୍ୟାଣ ଯୋଜନା, ଦେଶର ସମସ୍ତ ମେଟ୍ରୋ ସହରରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଭବନ ନିର୍ମାଣ, ୨୦୨୭ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବା, ପ୍ରତି ମତ୍ସ୍ୟଜୀବୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ। ଏଥିସହିତ ବୟନ ପାର୍କ ନିର୍ମାଣ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବିଦ୍ୟୁତ୍ ଯୋଗାଣ ଏବଂ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରତିଶ୍ରୁତି ଦିଆଯାଇଛି। ପ୍ରତିଶ୍ରୁତି ପାଳନ ପାଇଁ ସ୍ୱତନ୍ତ୍ର ପାଣ୍ଠିର ଆବଶ୍ୟକତା ରହିଛି। ସରକାର ଏହାକୁ ପ୍ରଥମରୁ ଲାଗୁ କରୁଛନ୍ତି କି ପର୍ଯ୍ୟାୟକ୍ରମେ ଲାଗୁ କରିବାକୁ ଚାହୁଁଛନ୍ତି ତାହା ବଜେଟ ଆକଳନରୁ ସ୍ପଷ୍ଟ ହେବ। ଅନ୍ତରୀଣ ବଜେଟ ବେଳେ ବିଜେଡି ସରକାର ଆର୍ଥିକ ବଳକା ରାଜ୍ୟ ବୋଲି କହିଥିବା ବେଳେ ବିଜେପି ସରକାର କିପରି ବଜେଟ ଆଣୁଛନ୍ତି ତାହା ଉପରେ ସମସ୍ତ ରାଜନୈତିକ, ସାଧାରଣ ଜନତା ଓ ଅର୍ଥନୀତି ବିଶେଷଜ୍ଞଙ୍କ ନଜର ରହିଛି।