ଆଜିଠୁ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ଗ୍ରହଣ କରିବେ ନବନିର୍ବାଚିତ ସଦସ୍ୟ

New Delhi: Members of Parliament in the new Parliament building during a special session of Parliament, in New Delhi, Tuesday, September 19, 2023. (Photo: IANS/Sansad Tv)
ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେବ ୧୮ତମ (ଅଷ୍ଟାଦଶ) ଲୋକସଭାର ପ୍ରଥମ ଅଧିବେଶନ। ଆସନ୍ତା ଜୁନ୍ ୨୪ରୁ ଜୁଲାଇ ୩ ଯାଏଁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହି ଆଠ ଦିନରେ ବାଚସ୍ପତି ନିର୍ବାଚନ ସହ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ ।
କେନ୍ଦ୍ରରେ ନୂଆ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ପ୍ରୋଟେମ୍ ବାଚସ୍ପତି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ନବନିର୍ବାଚିତ ଲୋକସଭା ସାଂସଦଙ୍କୁ ଶପଥ ପାଠ କରାଇବେ। ଉଦଘାଟନୀ ଦିବସରେ ୨୮୦ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିବେ । ପରଦିନ ଅର୍ଥାତ ୨୫ ତାରିଖରେ ଅବଶିଷ୍ଟ ୨୬୪ ସାଂସଦ ଶପଥ ପାଠ କରିବେ । ଏହାପରେ ବାତସ୍ପତି ନିର୍ବାଚନ, ରାଷ୍ଟ୍ରପତିଙ୍କ ସମ୍ବୋଧନ, ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଆଦି କାର୍ଯ୍ୟକ୍ରମ ରହିଛି ।
ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ପାଇଁ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବାଚସ୍ପତି ଭାବେ ନିଯକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହେବ । ୨୬ରେ ବାଚସ୍ପତି ନିର୍ବାଚନ ପରେ ୨୭ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ଥିବାବେଳେ ପରବର୍ତ୍ତୀ କାର୍ଯ୍ୟଦିବସ ତଥା ୨୮ ତାରିଖରେ ଧନ୍ୟବାଦ ପ୍ରସ୍ତାବ ଆଗତ ଓ ଚର୍ଚ୍ଚା ହେବ । ଜୁଲାଇ ୨ କିମ୍ବା ୩ ତାରିଖରେ ଏହି ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ରଖିପାରନ୍ତି ।