ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ମାଠିଆ ପାଣି

ଦିନଥିଲା ମାଟିରେ ତିଆରି ମାଠିଆ ଏବଂ ସୁରେଇର ବେଶ୍ ଚାହିଦା ଥିଲା । ଏଥିରେ ପାଣି ରଖି ପିଇବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବେଶ୍ ଆରାମ ମିଳୁଥିଲା । କୌଣସି ପ୍ରକାର ରୋଗ କିମ୍ବା ସଂକ୍ରମଣ ହେବାର ଭୟ ନଥିଲା । କିନ୍ତୁ ଆଧୁନିକ ସମୟରେ ରେଫ୍ରିଜରେଟର୍ରେ ଥିବା ପାଣିର ବ୍ୟବହାର ଦ୍ୱାରା ମଣିଷ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକିଆଣୁଛି ।
ବର୍ତମାନ ଗ୍ରୀଷ୍ମପ୍ରବାହ ନିଜର କରାଳ ରୂପ ଦେଖାଇବାରେ ଲାଗିଛି । ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ଯୋଗୁ ଶରୀର ନିସ୍ତେଜ ହୋଇପଡୁଛି । ଏ ସମୟରେ ଶରୀରର ତାପମାତ୍ରାକୁ ସନ୍ତୁଳିତ କରି ରଖିବା ନିତାନ୍ତ ଜରୁରୀ । ପ୍ରବଳ ଖରାରେ ବୁଲିଆସିଲେ ଥଣ୍ଡା ପାଣି ଗ୍ଲାସେ ଲୋଡ଼ା ପଡ଼ିଥାଏ । ଏବେ ତ ଘରେ ଘରେ ଫ୍ରିଜ୍ରେ ପାଣିକୁ ଥଣ୍ଡା କରି ପିଇବା ଅନେକଙ୍କର ଅଭ୍ୟାସ ହୋଇଗଲାଣି । କିନ୍ତୁ ସମୟ ଥିଲା ଲୋକେ ମାଠିଆରେ ପାଣି ପିଉଥିଲେ । ଏହା ଦେହ ଓ ମନକୁ ବେଶ୍ ଆରାମ ପ୍ରଦାନ କରୁଥିଲା । ମାଠିଆ ପାଣିରେ ଅନେକ ଔଷଧୀୟ ଗୁଣ ରହିଛି । ଖାସ୍ କଥା ହେଲା, ଏହି ପାଣିକୁ ନିୟମିତ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ମାଠିଆ ପାଣି ପିଇଲେ ଗଳା ସଂକ୍ରମଣର ଆଶଙ୍କା ନଥାଏ । ଫ୍ରିଜ୍ ପାଣି ଯୋଗୁ ଅନେକ ସମୟରେ ଥଣ୍ଡା ଏବଂ ଗଳା ସଂକ୍ରମଣଜନିତ ସମସ୍ୟା ଉପୁଜିଥାଏ । ବେଳେବେଳେ ଏହା ଏତେ ମାରାତ୍ମକ ହୋଇଯାଏ ଯେ ଅସ୍ତ୍ରୋପଚାର ପର୍ଯ୍ୟନ୍ତ କଥା ଚାଲିଯାଏ । ଯାହାର ଭୟ ମାଠିଆ ପାଣିରେ ନଥାଏ । ଏହାଛଡ଼ା ଫ୍ରିଜ୍ରେ ରଖାଯାଉଥିବା ପ୍ଲାଷ୍ଟିକ୍ ବୋତଲରେ ଦୀର୍ଘଦିନ ପାଣି ରହିବା ଦ୍ୱାରା ବିଷତତ୍ୱ ସୃଷ୍ଟି ହୋଇଥାଏ । କିନ୍ତୁ ମାଠିଆ ପାଣି ସମ୍ପୂର୍ଣ୍ଣ ଶୁଦ୍ଧ । ଏହାକୁ ଯେତେ ବାସି କରି ପିଇବେ ପେଟଜନିତ ବିଭିନ୍ନ ସମସ୍ୟାରୁ ସୁରକ୍ଷାପାଇପାରିବେ ।