ନନ୍ଷ୍ଟିକ୍ ବାସନ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ
ସବୁ ବାସନ ପରି ନନ୍ଷ୍ଟିକ୍ ବାସନରେ ରୋଷେଇ ହେଉଛି । ଏହାଦ୍ୱାରା ତେଲ କମ୍ ଖର୍ଚ୍ଚ ହୋଇଥାଏ ବୋଲି ଅନେକଙ୍କର ମତ । ହେଲେ ଏ ବାସନ ରୋଗର କାରଣ କିପରି ହୋଇପାରେ ବୋଲି ଅନେକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ । କିନ୍ତୁ ଏହି ଦାବି ବୈଜ୍ଞାନିକମାନେ ହିଁ ଉପସ୍ଥାପନ କରିଛନ୍ତି । ଏକ ଗବେଷଣାରୁ ଜଣାପଡ଼ିଛି ଯେ, ନନ୍ଷ୍ଟିକ୍ ବାସନ ଏବଂ ଖାଦ୍ୟ ପ୍ୟାକିଂ ପାଇଁ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାନ୍ତି ଏବଂ ସେଗୁଡ଼ିକ ଶରୀରକୁ ପ୍ରବେଶ କରିବା ଦ୍ୱାରା ଥାଇରଏଡ୍ ସମ୍ବନ୍ଧୀୟ ରୋଗ ହୋଇପାରେ । ବ୍ରିଟେନ୍ର ଜଣେ ଗବେଷକ ଡେଭିଡ୍ ମେଲ୍ଜର କହିବାନୁସାରେ ନନ୍ଷ୍ଟିକ୍ ରନ୍ଧନ ପାତ୍ରରେ ପରଫ୍ଲୁରୋ ଆକ୍ଟେନୋଇକ୍ ଏସିଡ୍ (ପିଏଫ୍ଓଏ) ଥାଏ, ଯାହା ଶରୀରରେ ଥାଇରଏଡ୍ ହର୍ମୋନ୍ ସ୍ତରକୁ ବଢ଼ାଏ । ସାଧାରଣତଃ ମହିଳାମାନଙ୍କ ଠାରେ ଥାଇରଏଡ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ । କିନ୍ତୁ ନନ୍ଷ୍ଟିକ୍ ପାତ୍ର ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ ।
ପି.ଏଫ୍.ଓ.ଏ କ’ଣ ? ଶିଳ୍ପ କ୍ଷେତ୍ର ସହିତ ବିଭିନ୍ନ ଉପଭୋକ୍ତା ସାମଗ୍ରୀରେ ଏହି ପିଏଫ୍ଓଏର ବ୍ୟବହାର କରାଯାଇଥାଏ । ନନ୍ଷ୍ଟିକ୍ ପାତ୍ର, ଫାଷ୍ଟଫୁଡ୍ ପ୍ୟାକେଜିଂ, କାର୍ପେଟ୍ ଏବଂ ଫ୍ୟାବ୍ରିକ୍ସ ଆଦିରେ ପ୍ରତିରୋଧ କୋଟିଂ ବାବଦରେ ଏହାର ବ୍ୟବହାର ହୋଇଥାଏ । କେବଳ ଖାଦ୍ୟ ମାଧ୍ୟମରେ ଏହି ପିଏଫ୍ଓଏ ଶରୀର ଭିତରକୁ ପ୍ରବେଶ କରେ ନାହିଁ । ଏହା ଶ୍ୱାସକ୍ରିୟା ସମୟରେ ବାୟୁ ସହ ମିଶି ମଧ୍ୟ ଶରୀରକୁ ଯାଇଥାଏ । ମହିଳାମାନଙ୍କ ପ୍ରତି ଆଶଙ୍କା ଅଧିକ:୧୯୯୯ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ପ୍ରାୟ ଚାରିହଜାର ଲୋକଙ୍କର ନମୁନା ନେଇ ଗବେଷକମାନେ ଅଧ୍ୟୟନ କରିଥିଲେ । ଏଥିରେ ଜଣାପଡ଼ିଥିଲା ଯେ, ପ୍ରଥମ ବର୍ଷ ଅପେକ୍ଷା ଶେଷ ବର୍ଷରେ ନିଆଯାଇଥିବା ନମୁନାରେ ପିଏଫ୍ଓଏର ସାନ୍ଧ୍ରତା ଅଧିକ । ଏହାର ମୁଖ୍ୟ କାରଣ ନନ୍ଷ୍ଟିକ୍ ପାତ୍ରର ବହୁଳ ବ୍ୟବହାର ବୋଲି ସେମାନେ ଜଣାଇଛନ୍ତି । ଗବେଷଣାରୁ ମଧ୍ୟ ଜଣାପଡ଼ିଥିଲା ଯେ, ଆରମ୍ଭରେ ମାତ୍ର ଆଠ ପ୍ରତିଶତ ମହିଳା ଥାଇରଏଡ୍ ସମସ୍ୟାରେ ଆକ୍ରାନ୍ତ ହୋଇଥିବାବେଳେ ଶେଷ ବର୍ଷରେ ଏହି ସଂଖ୍ୟା ବଢ଼ି ୧୬ ପ୍ରତିଶତରେ ପହଞ୍ଚିଥିଲା ।