ଗଞ୍ଜାମରେ ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା

ଗଞ୍ଜାମ : ଗଞ୍ଜାମରେ କରୋନା ସଂକ୍ରମିତ ହୋଇ ଜଣେ ୧୦ ବର୍ଷର ଶିଶୁର ଏମ୍କେସିଜି ଶିଶୁ ବିଭାଗରେ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ପ୍ରାଣ ହରାଇଥିବା ଶିଶୁ ଜଣକ ଜିଲ୍ଲାର ସର୍ବପ୍ରଥମ ଶିଶୁ ଯିଏକି ଅତିକମ୍ ବୟସରେ କରୋନା ସଂକ୍ରମିତ ହୋଇ ଏମ୍କେସିଜି ଶିଶୁ ବିଭାଗରେ ପ୍ରାଣ ହରାଇଛନ୍ତି । ମୃତକହେଲେ ବ୍ରହ୍ମପୁର ହାଉସିଂ ବୋର୍ଡର କୈଳାଶ ନାୟକ ।
ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ସୂଚନାନୁସାରେ, ଶିଶୁଟି ହେମୋଫିଲିଆ ଏବଂ କେଟୋସିସ୍ ରୋଗରେ ପୀଡ଼ିତ ଥାଇ ବହୁ ଦିନ ଧରି ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ଶନିବାର ତାଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ପୂର୍ବାହ୍ଣରେ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ କୈଳାଶଙ୍କୁ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ନିୟୋଜିତ ଶିଶୁ ରୋଗ ଚିକିତ୍ସକଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଥିଲା । ଏପରିକି ଅକ୍ସିଜେନ୍ ମଧ୍ୟ ଯୋଗାଣ ହେଉଥିଲା । ତଥାପି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ଏବଂ ତାଙ୍କୁ ବଞ୍ଚାଇବା ଦିଗରେ ଆପ୍ରାଣ ଚେଷ୍ଟାବିଫଳ ହୋଇଥିଲା । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛିକି-ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଛନ୍ତି, ସେମାନେସମ୍ପୂର୍ଣ୍ଣ ରୂପେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ କରୋନା ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ସମସ୍ତ ନୀତି ନିୟମ ଅନୁପାଳନ କରନ୍ତୁ ।