ଭାରତୀୟ ରେଳବାଇରେ କରୋନା ପ୍ରଭାବିତ : ୧୯୫୨ କର୍ମଚାରୀ ମୃତ

ନୂଆଦିଲ୍ଲୀ : ଭାରତୀୟ ରେଳବାଇକୁ କରୋନା ପ୍ରଭାବିତ କରିଛି । କରୋନା ଭାଇରସର ୨ୟ ଲହର ଦେଖାଯିବା ପରେ ରେଳଯାତ୍ରୀଙ୍କ ସଂଖ୍ୟା କମିଥିବାରୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି । ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଭାରତୀୟ ରେଳବାଇରେ କରୋନା ଭାଇରସ କାରଣରୁ ଏପର୍ଯ୍ୟନ୍ତ ୧୯୫୨ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦୈନିକ ହାରାହାରି ୧୦୦୦ କର୍ମୀ କରୋନା ସଂକ୍ରମଣର ଶିକାର ହେଉଛନ୍ତି । ଜଣେ ବରିଷ୍ଠ ରେଳ କର୍ମଚାରୀ ଗଣମାଧ୍ୟମକୁ ସୋମବାର ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଭାରତୀୟ ରେଳବାଇରେ ୧୩ ଲକ୍ଷ କର୍ମଚାରୀ କାମ କରନ୍ତି ।
ରେଳବାଇ ବୋର୍ଡର ଅଧ୍ୟକ୍ଷ ସୁନୀତ ଶର୍ମା କହିଛନ୍ତି ଯେ, ରେଳବାଇ କୌଣସି ଅନ୍ୟ ରାଜ୍ୟ ଅଥବା ଅଂଚଳରୁ ଭିନ୍ନ ନାହିଁ ଏବଂ ଆମେ କୋଭିଡ ସଂକ୍ରମଣରେ ଅତିଷ୍ଠ ହୋଇଛୁ । ଆମେ ପରିବହନ କାମ କରୁଛୁ ଏବଂ ଜିନିଷପତ୍ର ଓ ଲୋକଙ୍କୁ ନେଇଯାଉଛୁ । ତେଣୁ ଦୈନିକ ପ୍ରାୟ ୧୦୦୦ କର୍ମଚାରୀ କରୋନା ସଂସ୍ପର୍ଶରେ ଆସୁଛନ୍ତି । ଆମର ସ୍ୱୟଂ ହସ୍ପିଟାଲ ଅଛି । ବେଡ ସଂଖ୍ୟା ବଢ଼ାଇ ଦିଆଯାଇଛି । ରେଳ ହସ୍ପିଟାଲରେ ଅକ୍ସିଜେନ ୟୁନିଟ ପ୍ରତିଷ୍ଠା କରାଯାଇଛି । ରେଳବାଇ ନିଜର କର୍ମଚାରୀଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରୁଛି । ବର୍ତ୍ତମାନ ୪୦୦୦ ରେଳକର୍ମଚାରୀ ଅଥବା ସେମାନଙ୍କର ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆମର ଆଶା ଯେ, ଖୁବ ଶୀଘ୍ର ସେମାନେ ଭଲ ହୋଇଯିବେ । ଗତବର୍ଷ ମାର୍ଚ୍ଚ ପରଠାରୁ ଏଯାଏଁ ୧୯୫୨ ଜଣ କର୍ମୀ କୋଭିଡ-୧୯ ମହାମାରୀରେ ପ୍ରାଣ ହାରିଛନ୍ତି ।