ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା : ୫ ମୃତ, ଜଣେ ଗୁରୁତର
ସୋରଡା : ଗଞ୍ଜାମ ଜିଲା ସୋରଡା ଥାନା କେଶରୀପାଟଣା ନିକଟ ବରାଡ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟି-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ଜଣଙ୍କ ଜୀବନ । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ବ୍ରହ୍ମପୁରରେ ଚିକିତ୍ସାଧିନ ଅଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ଏକ ବାଇକ୍ରେ ୩ ଜଣ ବସି ଅଶୁରବଦ୍ଧ ଠାରୁ ସୋରଡ଼ା ଅଭିମୁଖେ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ବିଦ୍ୟୁତ ବିଭାଗର ୩ ଜଣ କର୍ମଚାରୀ ଏକ ସ୍କୁଟି ଯୋଗେ ଆସୁଥିଲେ । ହେଲେ ବରାଡି ନିକଟରେ ଉଭୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସମସ୍ତ ଆରୋହୀ ଗୁରୁତର ହୋଇ ପଡିରହିଥିଲେ । ସେପଟେ ଖବର ପାଇ ସୋରଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତକୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୪ ଜଣଙ୍କ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ପଠାଇଯାଇଥିଲା । ହେଲେ ସେଠାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ରହିଛନ୍ତି ।