ସପ୍ତାହାନ୍ତ ସଟ୍ଡାଉନ ଆରମ୍ଭ
- ଚେକିଂ କଡ଼ାକଡ଼ି, ରାସ୍ତାଘାଟ ଶୂନଶାନ୍
ଭୁବନେଶ୍ୱର : ଶନିବାରଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ ଆରମ୍ଭ ହୋଇଛି । ଏହି କ୍ରମରେ ଭୁବନେଶ୍ୱର ଓ କଟକ ସମେତ ସବୁ ସହରାଂଚଳରେ ସୋମବାର ସକାଳ ଯାଏଁ ଦୋକାନ ବଜାର ସହ ସାଧାରଣ ଯାତାୟତ ବନ୍ଦ ରହିବ । କଟକଣାକୁ ଜୋରଦାର କରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି । ମର୍ଣ୍ଣିଂ ୱାର୍କ , ସାଇକେଲିଂ ଓ ଜଗିଂ ପାଇଁ ସକାଳ ୫ ଟାରୁ ୬ ଟା ଗୋଟିଏ ଘଂଟା ପାଇଁ ସଟ୍ ଡାଉନ୍ କୋହଳ କରାଯାଇଥିଲା । ଏହାପରେ ପୋଲିସ୍ ପକ୍ଷରୁ ବ୍ଲକିଂ ଓ ଚେକିଂ ଆରମ୍ଭ ହୋଇଯାଇଥିଲା । ଏହି କଟକଣାରୁ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ସ୍ୱାସ୍ଥ୍ୟ ସେବା ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ ସମ୍ପୃକ୍ତ ଲୋକମାନଙ୍କୁ ଯାତୟତ ପାଇଁ ଅନୁମତି ଦିଆଯାଇଛି । ସେହିପରି କ୍ଷୀର ଓ ଔଷଧ ଦୋକାନ ମଧ୍ୟ ଖୋଲା ରହିଛି ।
ଭୁବନେଶ୍ୱର ସହର ସାରା ପିସିଆର ଭ୍ୟାନ୍ ବୁଲୁଛି, ୧୫୦ ଅଫିସର ବିଭିନ୍ନ ଚେକପୋଷ୍ଟରେ ଛିଡ଼ା ହୋଇ ଯାଂଚ କରୁଛନ୍ତି । ଟ୍ୱିନ୍ ସିଟିର ମୋଟ ୬୮ଟି ପଏଂଟରେ ଯାଂଚ କରାଯାଉଛି । କଟକର ୨୫ ଓ ଭୁବନେଶ୍ୱରର ୪୩ଟି ସ୍ଥାନରେ ଚେକିଂ ପଏଂଟ କରାଯାଇଛି । କଟକରେ ୧୨ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୦୦ ଅଫିସର ଏବଂ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୫୦ ଅଫିସର ନିୟୋଜିତ ହୋଇଛନ୍ତି । ୩୫ଟି ପିସିଆର ଭ୍ୟାନ ଙ୍କୁ ନିୟୋଜିତ କରାଯାଇଛି. ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟକାହାରିକୁ ଯିବାକୁ ଅନୁମତି ଦିଆଯାଉନାହିଁ । ଯେଉଁମାନେ ଆସୁଛନ୍ତି ସେମାନଙ୍କ ପରିଚୟ ପତ୍ର ଯାଂଚ କରି ଛଡା ଯାଉଛି ବୋଲି କହିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।