ରାଜ୍ୟରେ ୨୬ରୁ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨ରୁ ୩ ଦିନ ମଧ୍ୟରେ ତାପମାତ୍ରାରେ ୨/୩ ଡିଗ୍ରୀ ବୃଦ୍ଧି ଘଟିପାରେ । ତେବେ ୨୬ ତାରିଖରୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା , ବଜ୍ରପାତ ସହ ଘୂର୍ଣ୍ଣିଂ ଝଡ ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୯ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିପାରେ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୬ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ମଧ୍ୟରେ ମାଲକାନଗିରି , କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ ବଜ୍ରପାତ ହୋଇପାରେ । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୭ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ମଧ୍ୟରେ ମାଲକାନଗିରି , କୋରାପୁଟ , ରାୟଗଡା, ଗଜପତି, କନ୍ଧମାଳ , କେନ୍ଦୁଝର ଓ ମୟୁରଭଂଜ ଏବଂ ୨୮ ତାରିଖ ସକାଳ ଠାରୁ ୨୯ ତାରିଖ ସକାଳ ମଧ୍ୟରେ ମାଲକାନଗିରି, କେରାପୁଟ , ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ , ନୟାଗଡ, ବୌଦ୍ଧ , କେନ୍ଦୁଝର, ମୟୁରଭଂଜ ଓ ବାଲୋଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇପାରେ । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।