ମେ ୨ୟ ସପ୍ତାହରେ ସଂକ୍ରମଣ ହ୍ରାସ ପାଇବ : ଡିଏମଇଟି
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସଂପ୍ରତି ହୁ ହୁ ହୋଇ ବଢ଼ୁଥିବା ବେଳେ ମେ ୨ୟ ସପ୍ତାହରେ ସଂକ୍ରମଣ ହ୍ରାସ ପାଇବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବା ରହିଛି । ଟ୍ରିପଲ ମ୍ୟୁଟାଂଟ ଷ୍ଟ୍ରେନ ଅକ୍ଟୋବର ୨୫ରେ କୋଲକାତାରେ ଚିହ୍ନଟ ହୋଇଥିଲା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ସ୍ୱଳ୍ପ ଲକ୍ଷଣ ଥିବା କରୋନା ରୋଗୀ ଭୟଭୀତ ହୋଇ ବେଶି ସଂଖ୍ୟାରେ ମେଡ଼ିକାଲକୁ ଆସୁଛନ୍ତି ଏବଂ ଆଇସିୟୁ କଥା କହୁଛନ୍ତି । ସେମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ଭୟଭୀତ ହୁଅନ୍ତୁ ନାହିଁ । ଗୁରୁତର ନ ଥିଲେ ଡାକ୍ତରଖାନାରେ ଭର୍ତି ନହୋଇ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ନିଜର ଚିକିତ୍ସା କରାନ୍ତୁ । କାରଣ ବର୍ତମାନ ଆମେ ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା ଯୋଗାଇବୁ । ଏହାଦ୍ୱାରା ସେମାନଙ୍କର ଜୀବନ ବଂଚିପାରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଅମ୍ଳଜାନ ଅଭାବ ନାହିଁ । ଅଧିକ ଅଛି ବୋଲି ଆମେ ବାହାର ରାଜ୍ୟକୁ ଯୋଗାଉଛୁ । ବର୍ତମାନ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ୨୫୦ଟନ ଅମ୍ଳଜାନ ପଠାଯାଇଛି । ତେବେ ରାଜ୍ୟରେ ଏବେ ପର୍ଯ୍ୟନ୍ତ ଶଯ୍ୟାର ଅଭାବ ନାହିଁ । ଆହୁରି ଶଯ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।