୭ ଦିନ ଯାଏଁ ଖରାରୁ ମିଳିବ ତ୍ରାହି

CREATOR: gd-jpeg v1.0 (using IJG JPEG v62), quality = 100
ଭୁବନେଶ୍ୱର : ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତି କିଛିଟା କମିଛି । ସାମୁଦ୍ରିକ ପବନ ପ୍ରବାହରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ତାତି ଦୁଇ ଦିନ ଯାଏଁ ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିପାରେ । ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପ୍ରାୟତଃ ତାପମାତ୍ରା ଅପରିବର୍ତ୍ତିତ ରହିପାରେ । ଅନ୍ୟପକ୍ଷରେ ଆସନ୍ତା ୨-୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଓ ପବନ ହୋଇପାରେ । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରିରେ ଗୁରୁବାର ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିମଧ୍ୟରୁ କେତେକ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ।
କୃଷି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢ଼ିବ ନାହିଁ । ଅପରପକ୍ଷରେ ବର୍ଷା କିମ୍ବା ମେଘୁଆ ପାଗ ଯୋଗୁ କେତେକ ସ୍ଥାନରେ ସାମୟିକ ଭାବେ ତାପମାତ୍ରା କମିପାରେ । ବୁଧବାର ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ଉପକୂଳ ଅଞ୍ଚଳରେ ବହୁଥିଲା । ଗୁରୁବାରଠାରୁ କ୍ରମଶଃ ସାମୁଦ୍ରିକ ପବନ ଉତ୍ତର ଆନ୍ଧ୍ର ଉପକୂଳ ସହିତ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳ, ଗଜପତି, ରାୟଗଡ଼ା ଏବଂ ଆଭ୍ୟନ୍ତରୀଣ ଗଞ୍ଜାମରେ ପ୍ରବାହିତ ହେବ । ରାଜ୍ୟର ବାକି ଅଞ୍ଚଳରେ ମଧ୍ୟ ପଶ୍ଚିମା ଗରମ ପବନ ସିଧା ବହିବ ନାହିଁ । ସେହିପରି ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଅଞ୍ଚଳରେ ୧୨ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ୧୩ ଓ ୧୪ରେ ମେଘୁଆ ପାଗ ସହ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଅଛି । ଏହି ଦୁଇ ଦିନରେ ସର୍ବୋଚ୍ଚ ତାପମାତ୍ରା ସାମୟିକ ଭାବେ କମିପାରେ । ୧୦ ତାରିଖରୁ ଉତ୍ତର ଉପକୂଳ ଏବଂ ୧୧-୧୨ ତାରିଖରେ ଉଭୟ ଉତ୍ତର ଏବଂ ଦକ୍ଷିଣ ଉପକୂଳରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ୧୦ ଓ ୧୧ରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ବର୍ଷା ହେଲେ ବି ଏହି ଦୁଇଦିନ ତାପମାତ୍ରା କମିଲେ ମଧ୍ୟ ୪୦ ଡିଗ୍ରୀ ପାଖାପାଖି ରହିବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୧୧ ଓ ୧୨ରେ ହାଲୁକା ବର୍ଷା ହେବ । ବାକି ସ୍ଥାନରେ ତାତି ଅପରିବର୍ତ୍ତିତ ରହିପାରେ। ଉପକୂଳ ସଂଲଗ୍ନ ଜିଲ୍ଲାରେ ୧୧ ଓ ୧୨ରେ ଗୋଟିଏ ଦୁଇଟି ସ୍ଥାନରେ ଓ ୧୩-୧୪ରେ କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି। ରାତି ତାପମାତ୍ରାରେ ମଧ୍ୟ ସପ୍ତାହେ ଯାଏଁ ବିଶେଷ ପରିବର୍ତ୍ତନ ହେବନି ।