ଦ୍ରୁତ ଗତିରେ ସଂକ୍ରମଣ କରୁଛି ଦ୍ୱିତୀୟ ଷ୍ଟ୍ରେନ : ଆଇଏଲଏସ ନିର୍ଦେଶକ
ଭୁବନେଶ୍ଵର : ରାଜ୍ୟରେ ମହାମାରୀ କରୋନା ସ୍ଥିତିକୁ ନେଇ ଆଇଏଲଏସ ନିର୍ଦେଶକ ଅଜୟ ପରିଡ଼ା ଗୁରୁବାର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କରୋନାର ଦ୍ଵିତୀୟ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ। ଏହି ଦ୍ୱିତୀୟ ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି ତାହା ଚିନ୍ତାଜନକ। ଆଗକୁ କଣ ହେବ କିଛି କହି ହେବନି। କେବେ କମିବ ତାହା ଅନୁମାନ କରିହେଉନି। ଆମେ ଭାଇରସର ଏହି ନୂଆ ଷ୍ଟ୍ରେନ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛୁ। ଲୋକମାନେ ସଚେତନ ହେବା ନିହାତି ଦରକାର । ଯଦି ଲୋକମାନେ ସଚେତନ ନହେବେ ପରିସ୍ଥିତି ବହୁତ ଭୟଙ୍କର ହେବ । ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଆଗକୁ ବି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ସୀମାବର୍ତ୍ତି ଅଞ୍ଚଳରେ ସଂଖ୍ୟା ବଢ଼ୁଥିବାରୁ ସେଠି ନାଇଟ କର୍ଫ୍ୟୁ କରାଯାଇଛି । କିଛି ସହରାଞ୍ଚଳରେ ବି ସଂଖ୍ୟା ବଢୁଛି । ବିଶେଷ କରି ଭୁବନେଶ୍ୱରରେ ସଂଖ୍ୟା ବଢିବାର କାରଣ ହେଉଛି ଏଠିକୁ ଅଧିକ ବାହାର ଲୋକ ଆସୁଛନ୍ତି ଓ ଚଳ ପ୍ରଚଳ ଅଧିକ ରହୁଛି ।
ରାଜ୍ୟରେ କରୋନା କଟକଣା କୁ କଡାକଡି କରାଯାଇଥିଲେ ବି ସଂକ୍ରମଣ ଉପରମୁହାଁ ରହିଛି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲା ଏବେ ଚିନ୍ତା ବଢାଇଥିବା ସହିତ ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ଭୟ ଦ୍ୱିଗୁଣିତ କରିଛନ୍ତି ଯାହାକୁ ନେଇ ରେଲୱେ ଷ୍ଟେସନ୍ ଓ ଏୟାରପୋର୍ଟ ଆଦିରେ ସ୍କ୍ରିନିଂ ଯୋରଦାର କରାଯାଇଛି । ବର୍ତମାନ ରାଜ୍ୟର କୋଭିଡ୍ ସ୍ଥିତି କୁ ନେଇ ରାଜ୍ୟ ସରକାର ସମୀକ୍ଷା ଜାରି ରଖିଛନ୍ତି ଓ ଆଗକୁ ସଂକ୍ରମଣ ଅଣାୟତ ହେଲେ ରାଜ୍ୟ ସରକାର କିଛି ବଡ଼ ନିଷ୍ପତି ନେଇପାରନ୍ତି ବୋଲି ଇନଷ୍ଟିଟ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।