ରାଜ୍ୟକୁ ପ୍ରମୁଖ ମାଲ ପରିବହନ ସ୍ଥଳରେ ପରିଣତ କରିବ ସାଗରମାଳା ପ୍ରକଳ୍ପ

ଭୁବନେଶ୍ୱର : ରାଜ୍ୟ ସାଗରମାଳା କମିଟିର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ସୁଦୀର୍ଘ ବେଳାଭୂମି ରହିଛି। ସାଗରମାଳା ପ୍ରକଳ୍ପ ରାଜ୍ୟକୁ ଏକ ପ୍ରମୁଖ ମାଲ ପରିବହନ ସ୍ଥଳରେ ପରିଣତ କରିବ। ବନ୍ଦର ଗୁଡ଼ିକର ବିକାଶ କରି ଶିଳ୍ପାୟନ ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଏହି ପ୍ରକଳ୍ପର ଲକ୍ଷ୍ୟ। ଉପକୂଳ ଅଞ୍ଚଳରେ ବାସ କରୁଥିବା ଗୋଷ୍ଠୀ ଗୁଡ଼ିକର ବିକାଶକୁ ଏହି ପ୍ରକଳ୍ପ ସହିତ ଯୋଡ଼ାଯିବ। ସେହିପରି ପାରାଦୀପ ବନ୍ଦର ବ୍ୟତୀତ ରାଜ୍ୟ ସରକାର ଓଡ଼ିଶା ଉପକୂଳରେ ଅନ୍ୟାନ୍ୟ ବନ୍ଦରର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନେଉଛନ୍ତି। ଆସନ୍ତା କିଛିମାସ ମଧ୍ୟରେ ରାଜ୍ୟ ମାରିଟାଇମ୍ ବୋର୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଆଶା ରହିଛି। ରାଜ୍ୟର ନୌବାଣିଜ୍ୟ କ୍ଷେତ୍ରରେ ଏହି ବୋର୍ଡ ଏକ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିବ। ସାଗରମାଳା ଅଧୀନ ପ୍ରକଳ୍ପଗୁଡ଼ିକ ଯେଭଳି ଠିକ୍ ସମୟରେ ଶେଷ ହେବ ସେଥିପାଇଁ ସମସ୍ୟାଗୁଡ଼ିକୁ ବିଭାଗଗୁଡ଼ିକ ସମନ୍ୱୟ ରଖି ସମାଧାନ କରିବା ଆବଶ୍ୟକ। ଏସବୁ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବାକୁ ସେ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ସାଗରମାଳା ପ୍ରକଳ୍ପରେ ଜଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ଏହାର ସଫଳତା ପାଇଁ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନର ସହଯୋଗ ଆବଶ୍ୟକ। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟର ବିଭାଗଗୁଡ଼ିକ ପ୍ରକଳ୍ପ ପ୍ରସ୍ତୁତ ଏବଂ ମଞ୍ଜୁର କରାଇବା ଆବଶ୍ୟକ। ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ରାଜ୍ୟ ସାଗରମାଳା ପ୍ରକଳ୍ପ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ସେଗୁଡ଼ିକ ହେଲା ପାରାଦୀପ, ଧାମରା ଏବଂ ଗୋପାଳପୁର। ଏଥିସହିତ ସୁବର୍ଣ୍ଣରେଖା, ଅସ୍ତରଙ୍ଗ, କେନ୍ଦ୍ରାପଡ଼ାର ନଦୀଭିତ୍ତିକ ବନ୍ଦର ଏବଂ ଜଟାଧାର ମୁହାଣ ବନ୍ଦର ପାଇପଲାଇନ୍ରେ ରହିଛି। ରାଜ୍ୟ ଉପକୂଳରେ ବନ୍ଦର ପାଇଁ ଆହୁରି ୮ଟି ଅନୁକୂଳ ସ୍ଥାନ ରହିଛି ବୋଲି ସେ କହିଥିଲେ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ରରୁ ୫୦ ପ୍ରତିଶତ ପାଣ୍ଠି ମିଳିବ। ଉକ୍ତ ଯୋଜନା ଅଧୀନରେ ରାଜ୍ୟ ସରକାର ବିଭିନ୍ନ ବିଭାଗର ୧୪ଟି ପ୍ରକଳ୍ପ ପାଇଁ ପ୍ରସ୍ତାବ ଦାଖଲ କରିଛନ୍ତି। କିନ୍ତୁ ସେଥିରୁ ବାଣିଜ୍ୟ ଓ ପରିବହନ ବିଭାଗର ୨ଟି ପ୍ରକଳ୍ପ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲୁଗାଁ ଏବଂ ପୁରୀରେ ରୋ-ପାକ୍ସ ଜେଟି ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରକଳ୍ପକୁ ଭାରତ ସରକାର ମଞ୍ଜୁରି ଦେଇଛନ୍ତି। ବୈଠକରେ ଇଡ୍କୋ ସିଏମ୍ଡି ସଂଜୟ ସିଂହ ଯୋଗଦେଇ ଧାମରା, ଗୋପାଳପୁର ଏବଂ ସୁବର୍ଣ୍ଣରେଖାଠାରେ ୩ଟି ଲଜିଷ୍ଟିକ୍ସ ପାର୍କ ପ୍ରକଳ୍ପ ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଥିଲେ। ଖୁବ୍ଶୀଘ୍ର ଏହି ପ୍ରକଳ୍ପକୁ ପଠାଯିବ। ସାଗରମାଳା ପ୍ରକଳ୍ପ ଅଧୀନରେ ଅନ୍ୟ ପ୍ରକଳ୍ପଗୁଡ଼ିକୁ ଚୂଡ଼ାନ୍ତ କରିବା ଲାଗି ବିଭିନ୍ନ ବିଭାଗକୁ ଏହି ଅବସରରେ କୁହାଯାଇଥିଲା। ବୈଠକରେ ବାଣିଜ୍ୟ ଏବଂ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ଧନ୍ୟବାଦ ଦେଇଥିଲେ।