ଆଜି ଉତ୍କଳ ଦିବସ
ଆଜି ଉତ୍କଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ଦିନଟିଏ । ଅନେକ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ପହିଲାରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଆଜି ୮୬ତମ ଉତ୍କଳ ଦିବସ ପାଳନ କରୁଛି ଓଡିଶା। ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।
ଆଜିର ଦିନରେ ଅର୍ଥାତ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଉତ୍କଳ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲା ।ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମିଳିଥିଲା ସ୍ୱୀକୃତି । ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା। ଖଣ୍ଡ ବିଖଣ୍ଡିତ ହୋଇ ଭାଷାଭାଷୀ ଅଞ୍ଚଳ ଭାବେ ରହିଥିଲା ଓଡ଼ିଶା । ତେଣୁ ଏପ୍ରିଲ ୧ତାରିଖଟି ଆମ ପାଇଁ ହେଉଛି ପରିଚୟର ଦିନ । ଦେଶ ସ୍ବାଧୀନତା ଲାଭର ଗୋଟିଏ ଦଶନ୍ଧି ପୂର୍ବରୁ ଓଡ଼ିଆ ଭାଷା କୁ ନେଇ ଆମର ନୂଆ ପରିଚୟ ତିଆରି ହେଲା । ଓଡିଶା ଏକ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ଘୋଷିତ ହୋଇଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ୍ ଅଧୀନରେ ଥିଲା।ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, କଥା ସମ୍ରାଟ ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ ବନ ବିଦ୍ୟାଳୟର ମାର୍ଗଦର୍ଶକ ନୀଳକଣ୍ଠ ଦାସ ପ୍ରାଚୀନ ଏହି ଓଡ଼ିଆ ଭାଷାର ମହତ୍ଵକୁ ପ୍ରତିପାଦିତ କରାଇଥିଲେ ।
୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଦାବି ହୋଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା ।