ରେକର୍ଡ ଭାଙ୍ଗୁଛି କରୋନା : ଆଉ ୧,୦୩,୫୫୮ ସଂକ୍ରମିତ ଓ ୪୭୮ ମୃତ
ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଏଥିସହିତ ଦୈନିକ କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ୧ ନମ୍ବରରେ ପହଞ୍ଚିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଠୋର ପଦକ୍ଷେପ ନିଆଯାଉଛି। ଅନ୍ୟପଟେ କରୋନା ଟିକାକରଣ ଚାଲିଥିବା ସତ୍ବେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୭ କୋଟି ୫୯ ଲକ୍ଷ ୭୯ ହଜାର ୬୫୧ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ୮ଟି ରାଜ୍ୟରେ ୮୧.୪୨% କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ସମେତ ୫ଟି ରାଜ୍ୟରେ ୮୬% ମୃତକ ରହିଛନ୍ତି ।
ଏହାରି ମଧ୍ୟରେ ଷୋମବାର ଗତ ୨୪ଘଣ୍ଟାରେ ୧ଲକ୍ଷ ୩ହଜାର ୫୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ଆଉ ୫୨ହଜାର ୮୪୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨୫ଲକ୍ଷ ୮୯ହଜାର ୬୭କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୫ହଜାର ୧୦୧ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୧୬ଲକ୍ଷ ୮୨ହଜାର ୧୩୬ଜଣ ସୁସ୍ଥ ହୋଇଥିବା ବେଳେ ୭ଲକ୍ଷ ୪୧ହଜାର ୮୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଇତିମଧ୍ୟରେ ଦେଶରେ ୨୪କୋଟି ୯୦ଲକ୍ଷ ୧୯ହଜାର ୬୫୭ କରୋନା ନମୁନା ପରୀକ୍ଷା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ୭କୋଟି ୯୧ଲକ୍ଷ ୫ହଜାର ୧୬୩ ଲୋକଙ୍କୁ ଟିକାଦାନ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।