ରାଜ୍ୟରେ କରୋନା ସଂକ୍ରମିତ ଆଉ ୩୫ ମୃତ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ଏବେ ଉପରମୁହାଁ । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଶନିବାର ଗତ ୨୪ ଘଂଟା ମଧ୍ୟରେ ୭ହଜାର ୧୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୩୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ୫ ଜଣ ଥିବାବେଳେ କଳାହାଣ୍ଡି ଓ ରାୟଗଡା ଜିଲାରୁ ୪ ଜଣ ଲେଖାଏଁ ରହିଛନ୍ତି । ଝାରସୁଗୁଡା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ ଜିଲାରୁ ୩ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଜଗତସିଂପୁର, କୋରାପୁଟରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକ, ମାଲକାନଗିରି, ସମ୍ବଲପୁର ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୬୮୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୭,୪୭,୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬,୪୭,୧୩୩ଜଣ ସୁସ୍ଥ ହୋଇଥିବା ବେଳେ ୯୭,୨୭୧ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୨୬୮୬ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।