ବାଲେଶ୍ୱର : କରୋନାର ସଠିକ୍ ମୁକାବିଲା ପାଇଁ ୨୦ଦଫା ଦାବିପତ୍ର ପ୍ରଦାନ
ବାଲେଶ୍ୱର : ମହାମାରୀ କୋଭିଡ଼୍-୧୯କୁ ସଠିକ୍ ଭାବେ ମୁକାବିଲା କରିବା ପାଇଁ ଶୁକ୍ରବାର ସିପିଆଇ, ସିପିଆଇ(ଏମ୍) ଓ କଂଗ୍ରେସ ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ୨୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟ ଓ ଜିଲାସ୍ତରରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସାମାଜିକ କର୍ମୀମାନଙ୍କୁ ନେଇ ପରିଚାଳନା କମିଟି ଗଠନ, ଗ୍ରାମାଞ୍ଚଳରେ ଥିବା ସରକାରୀ କୋଠ, ବାତ୍ୟା ଆଶ୍ରୟସ୍ଥଳ, କମ୍ୟୁନିଟି ସେଣ୍ଟର ଓ ମଣ୍ଡପମାନଙ୍କରେ କୋଭିଡ଼ର ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଓ ଅକ୍ସିଜେନ୍ ଶଯ୍ୟା ବ୍ୟବସ୍ଥା କରିବା, ଘରୋଇ ଚିକିତ୍ସାଳୟରେ କରୋନା ରୋଗୀଙ୍କ ଚିକିତ୍ସା ମାଗଣାରେ କରିବା, ଗ୍ରାମାଞ୍ଚଳରେ ଘରଘର ବୁଲି କୋଭିଡ଼୍ ପରୀକ୍ଷା କରିବା ଓ ମାଗଣା ଟିକା ଦାନ ବ୍ୟବସ୍ଥା କରିବା, ସରକାରୀ ଡାକ୍ତରଖାନାରେ କରୋନା ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା, ଆୟକର ଦେଉନଥିବା ପରିବାରକୁ ମାସିକ ୬ହଜାର ଟଙ୍କା କେନ୍ଦ୍ର ଓ ୨ ହଜାର ଟଙ୍କା ରାଜ୍ୟ ସରକାର ସହାୟତା ପ୍ରଦାନ କରିବା, ଦରବୃଦ୍ଧି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ୍, ଡିଜେଲ୍ ଉପରେ ଟିକସ ପ୍ରତ୍ୟାହାର କରିବା, ଶ୍ରମିକ ଛଟେଇକୁ ନିଷେଧ କରିବା, ଦିନ ମଜୁରିଆ ଓ ଉଠାଦୋକାନୀ, ରିକ୍ସା ଓ ଟେମ୍ପୁଚାଳକମାନଙ୍କୁ ସହାୟତା ପ୍ରଦାନ କରିବା, ନିଶ୍ଚିତ ରୋଜଗାରପାଇଁ ଗ୍ରାମାଞ୍ଚଳରେ ଏନ୍ଆରଇଜି କାର୍ଯ୍ୟପାଇଁ ଅଧିକ ଅର୍ଥ ବରାଦ କରିବା, ବିଦ୍ୟୁତ୍ କାଟ ବନ୍ଦ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ ପ୍ଲାଣ୍ଟ୍ ତିଆରି କରିବା, କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହାର ପାଇଁ ଓ ସମସ୍ତଙ୍କୁ ମାଗଣା ଟୀକା ଦାନ ନିମିତ୍ତ ରାଜ୍ୟ ସରକାର ଦାବି କରିବା, କରୋନା ସମୟର ସମସ୍ତ ଖର୍ଚ୍ଚ ସାର୍ବଜନୀନ କରିବା ଓ ଚିକିତ୍ସିତ କରୋନା ରୋଗୀଙ୍କ ପରିବାରଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବା ପ୍ରଭୃତି ୨୦ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ତିନୋଟି ରାଜନୈତିକ ଦଳ ତରଫରୁ ଶିଶିର ହୁଇ, ଗୌରାଙ୍ଗ ପାଣିଗ୍ରାହୀ, ବିକାଶ ଦାସ, ରାଜକିଶୋର ଲୋଙ୍କା, ନିର୍ମଳ ନାୟକ, ଜତିନ୍ ପାତ୍ର, ବନ୍ଦନା ବିଶ୍ୱାସ, ନିରଞ୍ଜନ ପରିଡ଼ା, ଶ୍ୟାମସୁନ୍ଦର ଜେନା, ଜୀବନ ବାରିକ୍ ଓ ବେଣୁଧର ବାରିକ୍ ପ୍ରମୁଖଙ୍କ ସ୍ୱାକ୍ଷରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିବା ସହ ରାଜ୍ୟ ସରକାର ଏହି ଦାବିଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଛି ।