ବାଲେଶ୍ୱର : ରିକ୍ସା ଚାଳକଙ୍କୁ ସହାୟତା ଦାବି
ବାଲେଶ୍ୱର : ବାଲେଶ୍ୱର ରିକ୍ସାଚାଳକ ସଂଘ ପକ୍ଷରୁ ମହାମାରୀ କରୋନା ସଙ୍କଟ କାଳରେ ରିକ୍ସାଚାଳକମାନଙ୍କୁ ସହାୟତା ପ୍ରଦାନ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଏକ ନିବେଦନ ପତ୍ର ଦିଆଯାଇଛି । ସଂଘ ତରଫରୁ କୁହାଯାଇଛି ଯେ, ସମାଜରେ ସବୁଠାରୁ ତଳଶ୍ରେଣୀରେ ଥିବା ଦରିଦ୍ର ବ୍ୟକ୍ତିମାନେ ରିକ୍ସାଚାଳକ ଭାବେ କାର୍ଯ୍ୟକରି ନିଜର ପରିବାର ପ୍ରତିପୋଷଣ କରନ୍ତି । କରୋନାର ୨ୟ ଲହରରେ ଲକଡାଉନ୍ ଓ ସଟଡାଉନ୍ ଭଳି କଟକଣା ଜାରି କରାଯିବାରୁ ବାଲେଶ୍ୱର ସହରକୁ ବାହାର ଲୋକଙ୍କ ଯାତାୟତ ବନ୍ଦ ହୋଇଯାଇଛି । ସରକାରୀ କଟକଣା ଯୋଗୁଁ ରିକ୍ସାଚାଳକମାନେ ରିକ୍ସା ଚଳାଉନାହାନ୍ତି । ତେଣୁ ବାଲେଶ୍ୱର ସହରରେ ରିକ୍ସାଚାଳକ ଭାବେ ନିଜର ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ୪ଶହ ରିକ୍ସାଚାଳକ ପରିବାର ଅର୍ଦ୍ଧାହାରରେ କାଳାତିପାତ କରୁଛନ୍ତି । ଦୈନନ୍ଦିିନର ସର୍ବନିମ୍ନ ଆବଶ୍ୟକତା ପାଇଁ ରୋଜଗାର ନଥିବାରୁ ସେମାନେ ସପରିବାର ବହୁ ଦୁଃଖକଷ୍ଟରେ ଚଳୁଛନ୍ତି । ଏମାନଙ୍କର ଅନ୍ୟ କୌଣସି ବିକଳ୍ପ ରୋଜଗାର ବ୍ୟବସ୍ଥା ନଥିବାରୁ ଜିଲାପାଳ ସରକାରୀ ଅର୍ଥରୁ କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଏହି ପରିବାରକୁ ଅର୍ଥ କିମ୍ବା ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସଂଘ ତରଫରୁ ନିବେଦନ କରାଯାଇଛି । ସଂଘର ସମ୍ପାଦକ ସେକ୍ ସଲ୍ଲାଉଦ୍ଦିନଙ୍କ ସମେତ ରିକ୍ସାଚାଳକ ଉମାକାନ୍ତ ଜେନା, ସେକ୍ ନାସିର୍, ସର୍ବେଶ୍ୱର ହାଁସଦା, ରତ୍ନାକର ବେହେରା ଓ ସଂଘର କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଏଆଇଟିୟୁସି ଜିଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।