ବାଲେଶ୍ୱର : ୫୧୦ ସଂକ୍ରମିତ ଓ ୩୦୩ ସୁସ୍ଥ
ବାଲେଶ୍ୱର : ଦ୍ୱିତୀୟ ଲହରରେ ବାଲେଶ୍ୱର ଜିଲାର କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ସଂକ୍ରମଣ ମଧ୍ୟ ଶୀର୍ଷମୁହାଁ ହୋଇଥିବା ଲକ୍ଷ୍ୟ କରାଯାଇଛି । ଗତ ଦୁଇଦିନ ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରେ ରହିବାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୫୧୦ଜଣ ରହିଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩ ଜଣ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ୬ଜଣ, ସହରର ମଠସାହିରୁ ୪ଜଣ, ସୁନହଟରୁ ୪, ସହଦେବଖଣ୍ଟାରୁ ୩, ପୁଲିସ ଲାଇନରୁ ୩, ଗୋପାଳଗାଁରୁ ୩, ଆଜିମାବାଦରୁ ୨, ଫାଣ୍ଡିଛକରୁ ୨, ସୁଏଲପୁରରୁ ୨ ଓ ରାଣୀପାଟଣାରୁ ୨ଜଣଙ୍କ ସମେତ ଆକତପୁର, ଅଙ୍ଗାରଗଡ଼ିଆ, ଅରଡ଼ବଜାର, ବଟେଶ୍ୱର, ଭୋଇସାହି, ଦାମୋଦରପୁର, ଆଇଟିଆଇଛକ, ମାକଲପୁର, ମିର୍ଜାପୋଖରୀ, ମାନସିଂବଜାର, ପୁରୁଣାବାଲେଶ୍ୱର, ରାଜାବଗିଚା, ରଣସାହି, ନେଳିଆବାଗ, ସତ୍ୟନଗର, ଶୋଭାରାମପୁର, ତେଲେଙ୍ଗାସାହି, ହ୍ୱାଇଟ ହାଉସ କ୍ଲିନିକ, ବାରବାଟୀ, ଗଡ଼ଗଡ଼ିଆଛକ ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସଦର ବ୍ଲକରୁୁ ୫୬ଜଣ, ରେମୁଣା ବ୍ଲକରୁ ୮୩ଜଣ, ଖଇରାରୁ ୫୬ଜଣ, ଜଳେଶ୍ୱରରୁ ୫, ବାହାନଗାରୁ ୫, ବସ୍ତାରୁ ୬୩, ନୀଳଗିରରୁ ୬୧, ଔପଦାରୁ ଜଣେ, ବାଲିଆପାଳରୁ ୮୨, ଭୋଗରାଇରୁ ୩ ଓ ସିମୁଳିଆ ବ୍ଲକରୁ ୪୦ଜଣ ବ୍ୟକ୍ତିଙ୍କୁ ନୂଆ କରୋନା ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବସ୍ତା ବ୍ଲକର କଣ୍ଟିଆରୁ ୧୨, ନୀଳଗିରି ବ୍ଲକର ଆରବନ୍ଧରୁ୧୫, ଆରକେପୁରରୁ ୧୦, ପୁନ୍ଦାଳରୁ ୨୬ ଓ ଖଇରା ବ୍ଲକର ନନ୍ଦୁରରୁ ୨୫ଜଣ ଏକକାଳୀନ ସଂକ୍ରମିତ ହେବା ପରେ ସେଠାରେ ଆବଦ୍ଧାଞ୍ଚଳ ଘୋଷଣା ପାଇଁ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି । ସୂଚନା ଯେ, ବାଲେଶ୍ୱର ଜିଲାରେ ଅଦ୍ୟାବଧି ୨୧ ହଜାର,୦୩୩ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ୧୭,୨୪୨ରେ ପହଞ୍ଚିଛି । ଅନ୍ୟପକ୍ଷରେ ଏବେ ସକ୍ରିୟ ଥିବା ୩,୬୮୩ ଜଣ ସଂକ୍ରମିତ ଜିଲାର ଦୁଇ କୋଭିଡ ହସପିଟାଲ, କୋଭିଡ ଯତ୍ନ କେନ୍ଦ୍ର ଓ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।