ଭାରତରେ ତିଆରି ହେବ ଦେଶର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ
ନୂଆଦିଲ୍ଲୀ : ଭାରତରେ ତିଆରି ହେବ ଦେଶର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ । ହିମାଚଳ ପ୍ରଦେଶର ଲାହୌଲ ସ୍ପୀତି ଜିଲ୍ଲାରେ ଦେଶର ସର୍ବୋଚ୍ଚ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିରେ ୧୦ ହଜାର ଦର୍ଶକ ବସିବା ଭଳି କ୍ଷମତା ରହିବ । ସବୁଠାରୁ ବଡ କଥା ହେଉଚି ଯେ ଏହି ଷ୍ଟାଡିୟମ ଅଟଳ ଟନେଲ ଠାରୁ ୮ କିମି ଦୂରରେ ନିର୍ମାଣ କରାଯିବ ।
ଏହା ସମୁଦ୍ର ପତନ ଠାରୁ ୧୧ ହଜାର ଫୁଟ ଉଚ୍ଚରେ ରହିବ । ଏଥିନିମନ୍ତେ ଭୂମି ଚୟନ କରାଯାଇଛି । ବନ ସଂରକ୍ଷଣ ଅଧିନିୟମ (ଏଫ୍ସିଏ) ଅଧୀନରେ ଏହି ଭୂମିରେ ଷ୍ଟାଡିୟମ ନିର୍ମାଣ କରିବାକୁ ଅନୁମତି ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଠାରେ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଲାହୌଲ ସ୍ପୀତି ଜିଲ୍ଲା କ୍ରିକେଟ ସଂଘ ଗତ ୭ ବର୍ଷ ହେବ ଚେଷ୍ଟା କରିଆସୁଥିଲା । ଶୀତ ଦିନେ ଏହି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରୀରୁ ତଳକୁ ଚାଲି ଯାଇଥାଏ । ତେବେ ଖରାଦିନେ ଏଠାରେ ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ମଧ୍ୟରେ ରୁହେ । ବର୍ଷର ୭ ମାସ ଏଠାରେ ଜଳବାୟୁ ଅନୁକୂଳ ରହିଥାଏ । ଏହି ଆଧାରରେ ଏଠାରେ ଭୂମି ଚୟନ କରାଯାଇଛି । ସୂଚନା ଯେ, ପୂର୍ବରୁ ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ୭୫୦୦ ଫୁଟ ଉଚ୍ଚରେ ଦେଶର ସବୁଠାରୁ ଉଚ୍ଚତମ କ୍ରିକେଟ ଷ୍ଟାଡିୟମ ରହିଛି । ୧୮୯୧ରେ ପଟିୟାଲାର ମହାରାଜା ଭୂପେନ୍ଦ୍ର ସିଂହ ଉକ୍ତ ଷ୍ଟାଡିୟମ ନିର୍ମାଣ କରିଥିଲେ ।