ଭାରତୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ଇଟାଲୀ

ଇଟାଲୀ : ଭାରତରେ କୋଭିଡ୍-୧୯ର ନୂଆ ନୂଆ ମ୍ୟୁଟାଣ୍ଟ ଚିହ୍ନଟ ପରେ ଚିନ୍ତା ବଢିଯାଇଛି । ସଂକ୍ରମଣ ଆଶଙ୍କା ଏଡ଼ାଇବା ଲାଗି ବିଭିନ୍ନ ଦେଶ ଭାରତୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଉଛନ୍ତି । ଏହି ପରିପ୍ରେକ୍ଷୀରେ ଅନ୍ୟ ଦେଶମାନଙ୍କ ଭଳି ଇଟାଲି ପ୍ରତବନ୍ଧକ ଲଗାଇଛି । ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପ୍ରତି ନିଷେଧାଦେଶ ଜାରି କରିଛି ଦେଶ । ଇଟାଲିର ସ୍ୱାସ୍ଥ୍ୟମନ୍ତ୍ରୀ ରୋବେର୍ଟୋ ସ୍ପେରାଞ୍ଜା ଟୁଇଟ୍ କରି କହିଛନ୍ତି, ଗତ ୧୪ ଦିନ ଧରି ଭାରତରେ ଥିବା ବିଦେଶୀ ଯାତ୍ରୀମାନଙ୍କ ଇଟାଲି ପ୍ରବେଶ ଉପରେ ଜାରି ଏକ ଆଦେଶନାମାରେ ସେ ସ୍ୱାକ୍ଷର କରିଛନ୍ତି ।
ବର୍ତ୍ତମାନ କୋଭିଡ୍-୧୯ର ‘ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍’ ସହ ଏସୀୟ ଦେଶ ଭାରତ ସଂଗ୍ରାମ ଚଳାଇଛି । ରବିବାର ଦିନ କ୍ରମାଗତ ୪ର୍ଥ ଦିନ ପାଇଁ ସର୍ବାଧିକ ଦୈନିକ ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ପରିଗଣିତ ହୋଇଥିଲା । ଏହାସହ ଭାରତରୁ ଫେରିବା ବେଳେ ‘ନେଗେଟିଭ୍ ଟେଷ୍ଟ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏସବୁ ଥିଲେ ଇଟାଲୀବାସୀମାନଙ୍କୁ ସ୍ୱଦେଶ ଗସ୍ତ ପାଇଁ ଅନୁମତି ମିଳିବ। ତେବେ ଇଟାଲିରେ ପହଞ୍ଚିବା ପରେ ସେମାନଙ୍କୁ ସଂଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ସେ ସ୍ପେରାଞ୍ଜା କହିଛନ୍ତି । ଏତଦବ୍ୟତୀତ ଗତ ୧୪ ଦିନ ମଧ୍ୟରେ ଭାରତରୁ ଆସି ସ୍ୱଦେଶରେ ପହଞ୍ଚି ସାରିଥିବା ଇଟାଲୀୟଙ୍କୁ ଅନୁରୋଧ କରାଯାଇଛି କି, ସେମାନେ ନିଜର ‘ସ୍ୱାବ୍’ ପରୀକ୍ଷା କରାଇ ନିଅନ୍ତୁ । ସ୍ପେରାଞ୍ଜା କହିଛନ୍ତି, ନୂଆ କରି ଦେଖାଦେଇଥିବା ‘ଇଣ୍ଡିଆନ୍ ଭେରିଆଣ୍ଟ୍’ ଉପରେ ଆମର ବୈଜ୍ଞାନିକମାନେ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି ।