ପିପିଲି ଉପ-ନିର୍ବାଚନ : ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପାଖେଇ ଆସୁଛି ପିପିଲି ଉପ-ନିର୍ବାଚନ । ଏନେଇ ମାହୋଲ ସରଗରମ ହେଉଛି । ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ଜୋରଦାର ପ୍ରଚାର ଚଲାଇଛନ୍ତି । ଏହାସହ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କୁ ସାଙ୍ଗରେ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହାରି ମଧ୍ୟରେ ଦଳ ତଥା ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପିପିଲିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ ବୋଲି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସୂଚନା ଦେଇଛନ୍ତି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ପ୍ରଚାର ପାଇଁ ଯିବେ ବୋଲି ଷୋମବାର ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପ୍ରତାପ ଦେବ ସ୍ପଷ୍ଟ କରିଛନ୍ତି । ବୈଠକରେ ପିପିଲି ରଣନୀତି ନେଇ ଆଲୋଚନା ହୋଇଛି । ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ବିଜେଡିର ବହୁ ବିଧାୟକ ସାମିଲ ଥିଲେ । ସୂଚନା ଯେ, ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିପଡିଥିବା ପିପିଲି ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ୍ ହେବ । ମେ’ ୨ ତାରିଖରେ ଉପନିର୍ବାଚନ ଫଳାଫଳ ଘୋଷଣା ହେବ । ଏହି ଆସନ ପାଇଁ ୧୦ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି ।