‘ଖସାପଡା ଲାଗି’ ନୀତି ଯୋଗୁଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ପ୍ରତିବର୍ଷ ଶ୍ରୀଜୀଉଙ୍କ ଏହି ଗୁପ୍ତନୀତି ଦୁଇରୁ ତିନି ଥର କରାଯାଇଥାଏ । ତେବେ ଆଜି ଚୈତ୍ରମାସ କୃର୍ଷ୍ଣପକ୍ଷ ନବମୀ ତିଥିରେ ଅବସରରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଚୈତ୍ର କୃଷ୍ଣ ନବମୀ ତିଥିରେ ଶ୍ରୀଜିଉଙ୍କ ‘ଖସାପଡା ଲାଗି’ ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ ପରେ ସୋମବାର ଅପରାହ୍ନ ୪ଟା ୩୦ମିନିଟରୁ ସନ୍ଧ୍ୟା ୮ଟା ୩୦ମିନିଟ୍ ପର୍ଯ୍ୟନ୍ତ ଆପାତତଃ ଦର୍ଶନ ବନ୍ଦ ରହିବ । ତେବେ ଶ୍ରୀଜୀଉଙ୍କ ଏହି ଗୁପ୍ତନୀତି ଶ୍ରୀପୟରର ସୁରକ୍ଷା ପାଇଁ କରାଯାଇଥାଏ । ଆଜି ସେମାୟତ ମାନଙ୍କ ଦ୍ୱାରା ଏହି ନୀତି ସମ୍ପାଦନ ହେବା ପରେ ସାଧାରଣ ଲୋକଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବ । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇପାରେ । ସମସ୍ତ କୋଭିଡ୍ ନିୟମକୁ ମାନି ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରୁନ୍ତୁ ବୋଲି ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।
ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । କେବଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନେ ରହିଥିଲେ । ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଭକ୍ତଙ୍କ ପାଦଚଲା ରାସ୍ତା, ଜୋତା ଷ୍ଟାଣ୍ଡ, ଶ୍ରୀମନ୍ଦିର ଚାରିଦ୍ବାର, ବାଇଶି ପାହାଚ, ସ୍ନାନମଣ୍ଡପ ଆଦି ସ୍ଥାନକୁ ବିଶୋଧନ କରାଯାଇଛି । ରବିବାର ମନ୍ଦିର ସାନିଟାଇଜ୍ କରିବା ପରେ ସୋମବାର ପୁଣି ମନ୍ଦିର ଖୋଲିଛି । ଭକ୍ତମାନେ ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କାରଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ, ସମାଜିକ ଦୂରତ୍ବ ଓ ହାତ ସାନିଟାଇଜ କରିବା ସହ କୋଭିଡ଼ ନିୟମକୁ କଡ଼ାକଡ଼ି କରାଯାଇଛି ।