ପିପିଲି ଟୋଲଗେଟ୍ ନିକଟରୁ ୫୦ଲକ୍ଷ ଜବତ, ୨ ଅଟକ
ଜବତ ଟଙ୍କା ବିଜେପିର, ସିଇଓଙ୍କୁ ଫେରାଦ ହେଲା ବିଜେଡି
ପିପିଲି : ନିର୍ବାଚନ ଉଷ୍ମତା ଭିତରେ ଅନୈତିକ କାର୍ଯ୍ୟ ଉପରେ ବି ନଜର ରଖିଛି ପୋଲିସ। ଟୋଲଗେଟ ପାଖରେ ସନ୍ଦେହଜନକ ଭାବେ ଏକ ନୀଳ ପଲସର ବାଇକ (ଓଆର୧୩ଜି-୬୬୭୨)ରେ ଆସୁଥିବା ଦୁଇ ଜଣଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେମାନେ ନ ଅଟକିବାରୁ ପିଛା କରି ତରାକାଜ ଛକରେ ଅଟକାଇଲା ପୋଲିସ। ସେମାନଙ୍କ ପାଖରୁ ଏକ ନାଲି ବ୍ୟାଗରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ୨୦ଟି ବିଡ଼ାରେ ୫ଶହ ଟଙ୍କା ଥିଲା। ହେଲେ ଟଙ୍କା ସମ୍ପର୍କରେ ଏହି ଦୁଇ ଜଣ କିଛି ଉତ୍ତର ଦେଇ ନଥିବାରୁ ସେମାନଙ୍କୁ ଥାନାରେ ପଚରାଉଚରା କରାଯାଉଛି। ସେମାନେ ବଳଙ୍ଗାର ବୋଲି ଜଣାପଡିଛି। ଉପନିର୍ବାଚନ ଦିନ ପାଖେଇ ଆସିବାରୁ ମଇଦାନ ସରଗରମ ହେଲାଣି। ଅପ୍ରୀତିକର ପରିସ୍ଥିତି ରୋକିବାକୁ ପୋଲିସ ଚେକିଂ ସହ ପ୍ରତି ପାର୍ଥି ସହ ପୋଲିସ ଭ୍ୟାନ ବୁଲୁଛି।
ଅନ୍ୟପକ୍ଷରେ ପିପିଲି ଟୋଲଗେଟ୍ ନିକଟରୁ ଗୋଟିଏ ବାଇକରୁ ୫୦ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଜେଡି ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି । ପିପିଲି ଉପନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ବିଜେପି ପଠାଉଥିଲା ବୋଲି ବିଜେଡିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଅଭିଯୋଗ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଓଟିଡିସି ଅଧ୍ୟକ୍ଷା ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର, ମୁଖପାତ୍ର ଲେନିନ୍ ମହାନ୍ତି ଓ ସୁଲତା ଦେଓ ସୋମବାର ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭେଟି ପିପିଲିରେ ଜବତ ହୋଇଥିବା ୫୦ଲକ୍ଷ ଟଙ୍କା ବିଜେପିର ଓ ପୁଲିସ ଅଟକ ରଖିଥିବା ୨ଜଣ ଯୁବକ ମଧ୍ୟ ବିଜେପି କର୍ମୀ ବୋଲି ବିଜେଡି ଅଭିଯୋଗ କରିଛି । ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଛି । ଉପନିର୍ବାଚନରେ ଟଙ୍କା କାରବାରକୁ ବିଜେଡି ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହାସହିତ ପିପିଲିରେ ପୁଲିସ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ସହ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ମଧ୍ୟ ଦଳ ଅନୁରୋଧ କରିଛି ।