ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ୍ଅପ୍ ଭ୍ୟାନ୍, ଡ୍ରାଇଭର ମୃତ
କରଞ୍ଜିଆ : କରଞ୍ଜିଆ ଠାକୁରମୁଣ୍ଡା ରୋଡ ଚାଇଁବାଇଁଶି ପଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ହେଲପର ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, କେନ୍ଦୁଝର ଅଞ୍ଚଳର ବିଜୟ ଲୋହାର କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ଟି କପିଳାସରୁ କରଞ୍ଜିଆ ଦେଇ ଠାକୁରମୁଣ୍ଡା ଆସୁଥିଲେ । ଠିକ୍ ଏହି ସମୟରେ କରଞ୍ଜିଆ ଠାକୁରମୁଣ୍ଡା ରୋଡ ଚାଇଁବାଇଁଶି ପଟ୍ରୋଲ ପମ୍ପ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଏକ ଶାଳ ଗଛରେ ପିଟି ହୋଇଥିଲା । ଯାହାଫଳରେ କି ଗାଡିରେ ଥିବା ଡ୍ରାଇଭର ବିଜୟ ଲୋହାରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ହେଲପରଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଠାକୁରମୁଣ୍ଡ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।