ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

- ପେଟ୍ରୋଲ ୨୪ ପଇସା ଏବଂ ଡିଜେଲ ୨୯ ପଇସା ବୃଦ୍ଧି
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘରୋଇ ବଜାର ଉପରେ ପ୍ରଭାବ ପକାଇଛି । ପବ୍ଲିକ ସେକ୍ଟର ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ଗୋଟିଏ ଦିନ ପରେ ପୁଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ସହିତ ଗୁରୁବାର ଦିନ ପେଟ୍ରୋଲ ଲିଟର ପିଛିା ୨୪ ପଇସା ଏବଂ ଡିଜେଲ ଲିଟର ପିଛା ୨୯ ପଇସା ମହଂଗା ହୋଇଛି ।
ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ ୪ ମହାନଗରୀ ଯଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କଲିକତାରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୯୩.୬୮, ୯୯.୯୪, ୯୫.୨୮ ଏବଂ ଲିଟର ପିଛା ୯୩.୭୨ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ଡିଜେଲ ମଧ୍ୟ ଏହି ମହାନଗରୀରେ ଲିଟର ପିଛା ଯଥାକ୍ରମେ ୮୪.୬୧, ୯୧.୮୭, ୮୯.୩୯ ଏବଂ ୮୭.୪୬ ଟଙ୍କା ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୩.୩୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩.୮୫ ଟଙ୍କା ମହଂଗା ହୋଇଛି । ତେବେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍-ବେଶୀ ହେବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ଅଶୋଧିତ ବ୍ୟାରେଲ ୬୮.୭୩ ଡଲାର ଏବଂ ଡବ୍ଲୁଟିଆଇ ଅଶୋଧିତ ବ୍ୟାରେଲ ୬୬.୦୬ ଡଲାରରେ ବନ୍ଦ ହୋଇଯାଇଥିଲା ।