ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲିବା ସହ କରିବେ ସମୀକ୍ଷା
![](https://thetruths.in/wp-content/uploads/2021/05/PM-Narendra-Modi-in-Sky.jpg)
ନୂଆଦିଲ୍ଲୀ : ବାତ୍ୟା ‘ୟାସ୍’ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ଘଟାଇଛି। ଏହାକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବାତ୍ୟା ‘ୟାସ୍’ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସହ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା ମଧ୍ୟ କରିବେ ।
ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପୂର୍ବାହ୍ନ ସାଢ଼େ ୧୦ଟାରେ ପହଞ୍ଚିବେ । ସେଠାରେ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବେ । ଏହାପରେ ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯିବେ । ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତି ସେ ଆକାଶମାର୍ଗରୁ ଦେଖିବେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି । ଓଡ଼ିଶା ଗସ୍ତ ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଯାଇ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ସେଠାରେ ମଧ୍ୟ ଏକ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିବେ ଏବଂ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ।
ସୂଚନା ଯେ, ଗତବର୍ଷ ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ପଶ୍ଚିବଙ୍ଗ ଓ ଓଡ଼ିଶାର ପ୍ରଭାବିତ ଅଞ୍ଚଳଗୁଡ଼ିକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଦର୍ଶନ କରି ସହାୟତା ରାଶି ଘୋଷଣା କରିଥିଲେ। ପଶ୍ଚିମବଙ୍ଗକୁ ୧୦୦୦ କୋଟିର ସହାୟତା ରାଶିର ଘୋଷଣା କରିଥିବା ବେଳେ ଓଡ଼ିଶାକୁ ୫୦୦ କୋଟିର ସହାୟତା ଘୋଷଣା କରାଯାଇଥିଲା। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପରେ ଦୁଇ ରାଜ୍ୟ ପାଇଁ ଅନ୍ତରୀଣ ସହାୟତା ରାଶିର ଘୋଷଣା କରିବେ। ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଇବାର ମଧ୍ୟ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲିବା ସହ କରିବେ ସମୀକ୍ଷା