ବାଲେଶ୍ୱର ପୌରସଂସ୍ଥାକୁ ମହାନଗର ନିଗମରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି

ବାଲେଶ୍ୱର : ବାଲେଶ୍ୱର ପୌରସଂସ୍ଥାକୁ ମହାନଗରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପତ୍ର ଲେଖିଛନ୍ତି କଂଗ୍ରେସର ବାଲେଶ୍ୱର ସଂସଦୀୟ ପ୍ରାର୍ଥୀ ତଥା ଯୁବନେତା ନବଜ୍ୟୋତି ପଟ୍ଟନାୟକ । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ବିଧାନସଭାର କାର୍ଯ୍ୟକ୍ରମରୁ ରାଜ୍ୟ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାଗୁଡିକରେ ନିର୍ବାଚନ ଅନୁଷ୍ଠିତ କରାଇବାର ସୂଚନା ମିଳୁଛି । ଏହି ପରିସ୍ଥିତିରେ ଜଣେ ସଚେତନ ନାଗରିକ ଏବଂ ବାଲେଶ୍ୱରର ଜନ ପ୍ରତିନିଧି ଭାବରେ ସେ କେତେକ ପ୍ରସଙ୍ଗ ସମ୍ପର୍କରେ ରାଜ୍ୟ ସରକାର ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ମନେକରୁଛନ୍ତି ।
ରାଜ୍ୟ ସରକାର ଇତିମଧ୍ୟରେ ରାଜ୍ୟର କେତେକ ପୌରସଂସ୍ଥାକୁ ଉନ୍ନୀତ କରି ମହାନଗର ନିଗମରେ ପରିଣତ କରିସାରିଛନ୍ତି । ସେହିଦୃଷ୍ଟିରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହାନଗର ନିଗମମାନ ସୃଷ୍ଟି ହୋଇସାରିଛି । ଉଦାହରଣସ୍ୱରୂପ ଉପକୂଳବର୍ତ୍ତୀ ଓଡ଼ିଶାରେ କଟକ ଓ ଭୁବନେଶ୍ୱର ମହାନଗର ନିଗମ, ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ଓ ରାଉରକେଲା ଏବଂ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ମହାନଗର ନିଗମ ଗଠିତ ହୋଇସାରିଛି । କିନ୍ତୁ ଏହି ଦୃଷ୍ଟିକୋଣରୁ ଉତ୍ତର ଓଡ଼ିଶା ପ୍ରତି ଅବହେଳା କରାଯାଇଛି । ବାଲେଶ୍ୱର ରାଜ୍ୟର ଅନ୍ୟତମ ସର୍ବପୁରାତନ ପୌରସଂସ୍ଥା ହୋଇଥିବାରୁ ତାହାକୁ ମହାନଗର ନିଗମକୁ ଉନ୍ନୀତ କରିବାକୁ ଯୁବନେତା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାଦ୍ୱାରା ଉକ୍ତ ସହରାଞ୍ଚଳରେ ପ୍ରଶାସନିକ ପରିଚାଳନା ଅଧିକ ଦକ୍ଷ ହେବା ସହିତ ସହରବାସୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଉପଲବ୍ଧ ହୋଇପାରିବ । ଏତଦ୍ବ୍ୟତୀତ ବାଲେଶ୍ୱର ପୌରସଂସ୍ଥା ମହାନଗର ନିଗମରେ ପରିଣତ ହେବାକୁ ସମ୍ବିଧାନର ୭୪ତମ ସଂଶୋଧନ-୧୯୯୨ ଏବଂ ଓଡ଼ିଶା ପୌରାଞ୍ଚଳ ଆଇନର ସମସ୍ତ ସର୍ତ୍ତ ପୂରଣ କରୁଛି । ସେଥିପାଇଁ ବାଲେଶ୍ୱର ତଥା ସମଗ୍ର ଉତ୍ତର ଓଡ଼ିଶାବାସୀଙ୍କର ବୃହତ୍ତର ସ୍ୱାର୍ଥ ଏବଂ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ଏହି ବିଷୟ ପ୍ରତି ଦୃଷ୍ଟିଦେଇ ବାଲେଶ୍ୱର ପୌରସଂସ୍ଥାକୁ ମହାନଗର ନିଗମରେ ପରିଣତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନବଜ୍ୟୋତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।