ବାଲେଶ୍ୱର ଜାତୀୟ ରାଜପଥରେ ଜରୁରୀ ଅବତରଣ ହେବ ବାୟୁସେନାର ଯୁଦ୍ଧ ବିମାନ
![](https://thetruths.in/wp-content/uploads/2021/09/Air-Force-fighter-Jets-land-on-National-Highways-1024x463.jpg)
- ୧୦୮ କୋଟି ଟଙ୍କା ବ୍ୟୟରେ ୫ କିମି ରନ୍ୱେ ନିର୍ମାଣାଧିନ
ବାଲେଶ୍ୱର : ଦେଶର ପୂର୍ବତଟ ସୁରକ୍ଷା ଲାଗି କେନ୍ଦ୍ର ସରକାର ବାୟୂସେନା ବିଭାଗର ବିମାନର ଜରୁରୀ ଅବତରଣର ବ୍ୟବସ୍ଥା କରିଛନ୍ତି । ଦେଶର ୩ୟ ଏପରି ଜାତୀୟ ରାଜପଥ ଓ ବିମାନ ଅବତରଣ କେନ୍ଦ୍ରର ବ୍ୟବସ୍ଥା ବାଲେଶ୍ୱର-ଖଡ଼ଗପୁର ୬୦ନଂ. ଜାତୀୟ ରାଜପଥରେ ବ୍ୟବସ୍ଥା ହୋଇଥିବା ଜଣାଯାଇଛି । ଦେଶର ପୂର୍ବ ଉପକୂଳ ପଶ୍ଚିମବଙ୍ଗର ପୂର୍ବମେଦିନୀପୁର ଜିଲା ଅନ୍ତର୍ଗତ ହଳଦିଆରୁ ବାଲେଶ୍ୱର ଜିଲା ଅନ୍ତର୍ଗତ ଚଉମୁଖ ଯାଏ ସମୁଦ୍ର ବେଳାଭୂମୀ ଦେଇ ବର୍ହିଶତ୍ରୁ ଦେଶକୁ ପ୍ରବେଶ କରିବା ସମ୍ଭାବନା ଦେଖା ଦେଇଛି । ବିଶେଷ କରି ଖଡ଼ଗପୁର ନିକଟସ୍ଥ କଲେଇକୁଣ୍ଡା ଏବଂ ବାଲେଶ୍ୱର ଜିଲାର ଚାନ୍ଦିପୁର ଯାଏଁ ସମୁଦ୍ର ବେଳାଭୂମୀର ସୁରକ୍ଷା ନଥିବାରୁ ହଠାତ୍ ବାୟୁସେନାର ଅବତରଣ ଲାଗି ଏକ ବ୍ୟବସ୍ଥା କରାଯାଇଥିବା ଗୁରୁବାର ସୂଚନା ମିଳିଛି ।
ଦେଶରେ ୧୯ଟି ରାଜପଥରେ ଏପରି ବ୍ୟବସ୍ଥା ହେଉଥିବା ବେଳେ ୬୦ନଂ. ଜାତୀୟ ରାଜପଥର ଓଡ଼ିଶା-ପଶ୍ଚିମବଙ୍ଗର ସୀମା ବେଲଦାର ଅନତୀ ଦୂରରେ ଏପରି ଜାତୀୟ ରାଜପଥ – ବାୟୁସେନାର ଜରୁରୀ ଅବତରଣ କେନ୍ଦ୍ର (ହାଇୱେ-ରନ୍ୱେ ଅଫ ଏୟାର୍ ଫୋର୍ସ) ନିର୍ମାଣ ହେଉଥିବା ଜଣାଯାଇଛି । ଶ୍ୟାମପୁରା ଠାରୁ ପୋକ୍ତାପୋଲ ଯାଏ ୫ କିମି ଦୈର୍ଘ୍ୟ ବିଶିଷ୍ଟ ବାୟୁସେନାର ଏହି ଅବତରଣ ଲାଗି ହେଉଥିବା କାର୍ଯ୍ୟକୁ ଗତ ଡିସେମ୍ବର ମାସରେ ଉତ୍ତରପ୍ରଦେଶର ନଟବିନ୍ଦୁ ନାମକ ଏକ କମ୍ପାନୀ କାର୍ଯ୍ୟାଦେଶ ନେଇ ନିର୍ମାଣ ଆରମ୍ଭ କରିଛି । ୧୦୮ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ନାମ ପ୍ରକାଶ ନ କରି ଗୁରୁବାର ଏଠାରେ କହିଛନ୍ତି । କଲେଇକୁଣ୍ଡାର ବାୟୁସେନା ବିଭାଗ ପକ୍ଷରୁ ‘ଚକ୍ରପ୍ରକଳ୍ପ’ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରୀ ଠାରେ କାର୍ଯ୍ୟ କରିଆସୁଛି । ଏହା କେବଳ ଅସ୍ଥାୟୀ ପରୀକ୍ଷାକେନ୍ଦ୍ର ଭାବେ କାର୍ଯ୍ୟ କରିଆସୁଥିବା ବେଳେ ବର୍ହିଶତୃ ଆକ୍ରମଣକୁ ପ୍ରତିହତ କରିବାଲାଗି କେନ୍ଦ୍ର ସରକାର ଏପରି ଏକ ବ୍ୟବସ୍ଥା କରିଛନ୍ତି । ବାୟୁସେନା ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକାରଣ ବିଭାଗର ମିଳିତ ଉଦ୍ୟଗରେ ଏପରି କାର୍ଯ୍ୟ ଚାଲିଥିବାର ଜଣାଯାଇଛି । ଏହି କାର୍ଯ୍ୟ ଆସନ୍ତା ମାର୍ଚ୍ଚମାସ ସୁଦ୍ଧା ଶେଷ ହେବାକୁ ନିର୍ଦ୍ଦେଶଥିବା ଜଣାଯାଇଛି । ଆଜି ରାଜସ୍ଥାନରେ ରାସ୍ତା, ପରିବହନ ଓ ରାଜପଥ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ବାଡ଼ମେର୍ ରାଜୀୟ ରାଜପଥ ୯୨୫ର ଗାନ୍ଧବ-ବାଖାସର ସେକ୍ସନରେ ଏପରି ଏକ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ସୁରକ୍ଷା ସହିତ ପୂର୍ବଉପକୂଳର ସ୍ଥାନ ଗୁଡ଼ିକ ବନ୍ୟା, ବାତ୍ୟାପ୍ରବଣ ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଲାଗି ବାୟୁସେନାର ଯୁଦ୍ଧ ଯାହାଜ ଅବତରଣ ଆବଶ୍ୟକତା ବୋଲି ଜଳେଶ୍ୱରକୁ ଆସିଥିବା ଅଫିସର ଜଣକ ସାମ୍ବାଦିକ ମାନଙ୍କୁ କହିଛନ୍ତି ।