ଇସ୍ରାଏଲକୁ ୭୩୫ ମିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

ଲସଏଞ୍ଜେଲସ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ହିଂସା ଲାଗିରହିଛି l ଏହାରି ମଧ୍ୟରେ ଆମେରିକା ଫିଲିସ୍ତିନକୁ ଝଟକା ଦେଇଛି l ବାଇଡେନ ପ୍ରଶାସନ ଇସ୍ରାଏଲକୁ ୭୩୫ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ପାଖାପାଖି ପାଞ୍ଚ ହଜାର ଚାରି ଶହ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି l ଫଳରେ ପାଲେଷ୍ଟାଇନ ଏହାକୁ ନେଇ ଚିନ୍ତିତ ହୋଇପଡିଛି । ଦୁଇ ଦେଶର ହିଂସା ମଧ୍ୟରେ ଏପରି ବୁଝାମଣା ବିରୋଧରେ ସଂସଦରେ ଆପତ୍ତି ନ ଉଠିପାରେ ବୋଲି ଆଶା କରାଯାଉଛି l ଅସ୍ତ୍ରଶସ୍ତ୍ର ବିକ୍ରି ପୂର୍ବରୁ ଆମେରିକା ସଂସଦରେ ଏନେଇ ଅବଗତ କରାଯାଇଛି l କିଛି ସାଂସଦଙ୍କ ସହଯୋଗୀଙ୍କ ସୂଚନା ଅନୁସାର,ଏକ ପ୍ରମୁଖ ଅସ୍ତ୍ର ବିକ୍ରୟ ଚୁକ୍ତି ପୂର୍ବରୁ ନିୟମିତ ସମୀକ୍ଷା ପ୍ରକ୍ରିୟାର ଏକ ଅଂଶ ଭାବରେ ଏହି ସମ୍ଭାବ୍ୟ ବାଣିଜ୍ୟିକ ବିକ୍ରୟ ବିଷୟରେ ସଂସଦକୁ ଆନୁଷ୍ଠାନିକ ଭାବରେ ସୂଚନା ଦିଆଯାଇଛି ।ତେବେ ଏପ୍ରିଲରେ ବିକ୍ରୟ ଯୋଜନା ବିଷୟରେ ସଂସଦକୁ ସୂଚନା ଦିଆଯାଇଥିଲା ।
ଆମେରିକାର ନିୟମ ଅନୁଯାୟୀ, ଆନୁଷ୍ଠାନିକ ବିଜ୍ଞପ୍ତି ପରେ ସଂସଦ ବିକ୍ରୟକୁ ବିରୋଧ କରିବାକୁ ପନ୍ଦର ଦିନ ସମୟ ପାଇଥାଏ। ବାସ୍ତବରେ, ଏହି ବିକ୍ରୟ ଉପରେ ଆପତ୍ତି ସମ୍ଭବ ନୁହେଁ କାରଣ ଆମେରିକାରେ ଉଭୟ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ଦଳ ଇସ୍ରାଏଲକୁ ସମର୍ଥନ କରନ୍ତି। ଏକ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ଆମେରିକା ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଇସ୍ରାଏଲ-ଫିଲିସ୍ତିନ ବିବାଦ ଉପରେ ମିଳିତ ବିବୃତ୍ତି ଦେବା ବନ୍ଦ କରିଦେଇଛି। ଇସ୍ରାଏଲ୍ ଗଣମାଧ୍ୟମ ଅନୁଯାୟୀ, ରବିବାର ଦିନ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ପରେ ନରୱେ, ଟ୍ୟୁନିସିଆ ଏବଂ ଚୀନ୍ ଉଭୟ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଏକ ବିବୃତ୍ତି ଦେଇଛନ୍ତି l କିନ୍ତୁ ଆମେରିକା ଏହା ଜାରି ହେବାକୁ ଦେଇ ନାହିଁ। ତେବେ ଏହି ପ୍ରସଙ୍ଗରେ ଆମେରିକା ଦୂତାବାସର କୌଣସି ମନ୍ତବ୍ୟ ମିଳିପାରିନାହିଁ ।