ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ପାଇଁ
ସାଧାରଣତଃ ଚିତ୍ ହୋଇ ବା ଉପରମୁହାଁ ହୋଇ ଶୋଉଥିବା ଲୋକଙ୍କର ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ଥାଏ । ଏପରି ଭାବେ ଶୋଇଲେ ଅନେକ ଲୋକଙ୍କ ପାଟି ମେଲା ହୋଇଯାଏ । ଫଳରେ ନିଃଶ୍ୱାସ ନେଲାବେଳେ ଶବ୍ଦ ସୃଷ୍ଟି ହୋଇଥାଏ । ତେଣୁ ଶୋଇଲାବେଳେ ଗୋଟିଏ ପଟକୁ ମୁହଁ କରି ଶୋଇବାକୁ ଚେଷ୍ଟା କରନ୍ତୁ । ଦେଖିବେ ଧୀରେ ଧୀରେ ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ମିଳିବ ।
ଓଜନ କମାନ୍ତୁ- ମେଦବହୁଳତା କେବଳ ମଧୁମହେ ବା ହୃଦ୍ରୋଗର କାରଣ ପାଲଟେ ନାହିଁ, ଘୁଙ୍ଗୁଡ଼ି ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ବେକ ଚାରିପଟେ ଅତ୍ୟଧିକ ମେଦ ଜମିଗଲେ ତାହା ଘୁଙ୍ଗୁଡ଼ିର କାରଣ ପାଲଯେ । ଓଜନ ନିୟନ୍ତ୍ରଣରେ ରଖିଲେ ଘୁଙ୍ଗୁଡ଼ି ସମସ୍ୟା ମଧ୍ୟ କମିଯିବ ।
ଆଲକୋହଲରୁ ଦୂରେଇ ରହନ୍ତୁ- ଆଲକୋହଲ ବା ସେଭଳି କିଛି ସିଡେଟିଭ୍ରୁ ନିଜକୁ ଯଥାସମ୍ଭବ ଦୂରରେ ରଖନ୍ତୁ । ବିଶେଷକରି ଶୋଇବା ପୂର୍ବରୁ ମଦ୍ୟପାନ କଲେ ଘୁଙ୍ଗୁଡ଼ି ମାରିବାର ପ୍ରବଣତା ଆହୁରି ବଢ଼ିଯାଏ ।
ଅଧିକ ତକିଆ ବ୍ୟବହାର କରନ୍ତୁ- ଶୋଇଲାବେଳେ ମୁଣ୍ଡ ତଳେ ଗୋଟିଏ ତକିଆ ପରିବର୍ତ୍ତେ ଦୁଇଟି ତକିଆ ବ୍ୟବହାର କରନ୍ତୁ । ଦୁଇଟି ତକିଆ ବ୍ୟବହାର କଲେ ଛାତି ତୁଳନାରେ ମୁଣ୍ଡ ଟିକେ ଉଚ୍ଚାରେ ରହେ । ଏହାଦ୍ୱାରା ଆପଣଙ୍କ ନାକପୁଡ଼ା ଦେଇ ଶ୍ୱାସ ପ୍ରଶ୍ୱାସ ଯିବାରେ ଆଉ ଅସୁବିଧା ହୁଏନାହିଁ । ଫଳରେ ଘୁଙ୍ଗୁଡ଼ି ଶବ୍ଦ ମଧ୍ୟ କମିଯାଏ ।
ଧୂମପାନ ଛାଡ଼ନ୍ତୁ- ଧୂମପାନର ଅଭ୍ୟାସ ଥିଲେ ତାହା ଅବିଳମ୍ବେ ଚାଡ଼ିବାକୁ ଚେଷ୍ଟା କରନ୍ତୁ । ଧୂମପାନ କାରଣରୁ ଅନେକ ଲୋକ ଘୁଙ୍ଗୁଡ଼ିଜନିତ ସମସ୍ୟା ଭୋଗନ୍ତି । ଧୂମପାନ କରିବା ଦ୍ୱାରା ଶରୀରର ଅମ୍ଳଜାନ ବ୍ୟବହାର କରିବା କ୍ଷମତା ହ୍ରାସ ପାଏ । ଏହି କାରଣରୁ ନାକପୁଡ଼ା ସଂକୁଚିତ ହୋଇଯାଏ । ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୁଏ ।
ପର୍ଯ୍ୟାପ୍ତ ନିଦ୍ରା ଯାଆନ୍ତୁ- ଜଣେ ସୁସ୍ଥ ମଣିଷ ପାଇଁ ଛଅରୁ ଆଠଘଣ୍ଟା ନିଦ୍ରା ଯିବା ନିହାତି ଆବଶ୍ୟକ । ଏହାଠାରୁ କମ୍ ହେଲେ ବିଭିନ୍ନ ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ । ରାତିରେ କମ୍ ସମୟ ଶୋଇଥିବା ଲୋକ ସାଧାରଣତଃ ଦିନବେଳା ଶୋଇଲେ ଘୁଙ୍ଗୁଡ଼ି ମାରିବାର ଦେଖାଯାଏ । ତେଣୁ ଛଅରୁ ଆଠଘଣ୍ଟା ଆରାମଦାୟକ ନିଦ୍ରା ସାଙ୍ଗକୁ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ ।
ବ୍ୟାୟାମ- ନିୟମିତ ଭାବେ ବ୍ୟାୟାମ କରିବା ଦ୍ୱାରା ମାଂସପେଶୀ ସୁଦୃଢ଼ ହେବା ସାଙ୍ଗକୁ ରକ୍ତ ସଞ୍ଚାଳନ ଅଧିକ ସକ୍ରିୟ ହୋଇଥାଏ । ଏହାଫଳରେ ଦୈନନ୍ଦିନ ଶୋଇବା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଏ । ଦୈନିକ ୩୦ ମିନିଟ୍ ବ୍ୟାୟାମ କଲେ ଘୁଙ୍ଗୁଡ଼ି ମାରିବା ଧୀରେ ଧୀରେ କମିଯିବ ।
ଅଧିକ ପାଣି ପିଅନ୍ତୁ- ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରର ଜଳୀୟ ଅଂଶ ସନ୍ତୁଳିତ ରହେ । ଏହାଦ୍ୱାରା ନାକପୁଡ଼ା ଆଉ ଶୁଷ୍କ ରହେନାହିଁ । ତେଣୁ ଘୁଙ୍ଗୁଡ଼ି ମାରିବାରର ପ୍ରବଣତା ମଧ୍ୟ କମିଯାଏ ।
ନାକପୁଡ଼ା ସବୁବେଳେ ପରିଷ୍କାର ରଖନ୍ତୁ- ଥଣ୍ଡା ହୋଇ ନାକରେ ସିଂଘାଣି ଜମିଗଲେ ଶୋଇବା ବେଳେ ପ୍ରାୟ ସମୟରେ ନାକ ବନ୍ଦ ହୋଇଯାଏ । ନିଃଶ୍ୱାସ ନେବାରେ କଷ୍ଟ ହୁଏ । ସେଥିପାଇଁ ଅନେକ ଲୋକ ପାଟିବାଟେ ନିଃଶ୍ୱାସ ନେଲେ ଘୁଙ୍ଗୁଡ଼ି ମାରିବାର ପ୍ରବଣତା ବଢ଼ିଯାଏ । ତେଣୁ ନାଜାଲ ସ୍ପ୍ରେ କିମ୍ବା ବାମ୍ଫ ଜରିଆରେ ନାକ ପରିଷ୍କାର କରନ୍ତୁ ।