ବାଲେଶ୍ୱର : ‘ୟାସ୍’ର ମୁକାବିଲା ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଉତର ଓଡିଶା ଉପକୂଳ ଆଡକୁ ମୁହାଁଉଥିବା ବାତ୍ୟାର ମୁକାବିଲା ପାଇଁ ଶନିବାର ସଦଭାବନା ସଭାଗୃହରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ଏବଂ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଶନିବାର ଅପରାହ୍ନ ୩ଟା ସମୟରେ ସମ୍ଭାବ୍ୟ ବାତ୍ୟା ୟାସ୍ର ମୁକାବିଲା ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସମ୍ଭାବ୍ୟ ବାତ୍ୟା ଆସିବା ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତି, ବାତ୍ୟା ସମୟରେ ସତର୍କତା, ବାତ୍ୟା ପରେ ବିଭିନ୍ନ ବିଭାଗୀୟ କାର୍ଯ୍ୟପନ୍ଥା ଉପରେ ଜିଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶେଷ କରି ଜିରୋ କାଜୁଆଲଟି ଉପରେ ଜିଲାପାଳ ଅଧିକ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ସେ ଜଳମଗ୍ନ ସମ୍ଭାବନା ଥିବା ସମସ୍ତ ଗାଁ, ବାତ୍ୟା ପ୍ରଭାବିତ ହେବାକୁ ଥିବା ସମସ୍ତ ଅଞ୍ଚଳର କଚ୍ଚା ଓ ଆଜବେଷ୍ଟସ ଘରର ସମସ୍ତ ଲୋକଙ୍କୁ ଶତ ପ୍ରତିଶତ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦିବ୍ୟାଙ୍ଗ, ପାରାଲିସିସ୍ ରୋଗୀ, ଆସନ୍ନପ୍ରସବାମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯଥାଶୀଘ୍ର ତାଲିକା ପ୍ରସ୍ତୁତ ପାଇଁ କହିଥିଲେ । କୋଭିଡ୍ ସଂକ୍ରମିତ ରୋଗୀ ସ୍ଥାନାନ୍ତର ହେବାକୁ ଥିଲେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀକୁ ନେବା ପାଇଁ କହିଥିଲେ । ୭ଦିନ ପାଇଁ ଆବଶ୍ୟକ ଔଷଧ ମହଜୁଦ୍, ଆମ୍ବୁଲାନ୍ସ, ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ ରଖିବା ସହିତ ବିଡିଓମାନଙ୍କୁ ୨ହଜାର ଲେଖାଏଁ ମାସ୍କ ପ୍ରଦାନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ଚୁଡା, ଗୁଡ, ଚାଉଳ, ମାଗଣା ରନ୍ଧା ଖାଦ୍ୟ ପ୍ରଭୃତି ବ୍ୟବସ୍ଥା ସହ ଆବଶ୍ୟକ ଇନ୍ଧନ ମହଜୁଦ ନେଇ ସିଏସଓ ବୈଠକରେ ସୂଚନା ଦେଇଥିଲେ । ସେହିପରି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ହୋଇଥିବା ପ୍ରସ୍ତୁତି ସମ୍ବନ୍ଧରେ ମଧ୍ୟ ଜିଲାପାଳ ସମୀକ୍ଷା କରିଥିଲେ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଇଥିବା ବେଳେ ସମୁଦ୍ର ଭିତରକୁ ଯାଇଥିବା ସମସ୍ତ ମାଛଧରା ବୋଟ୍ କୂଳକୁ ଫେରି ଆସିଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ବିଦ୍ୟୁତ ବିଭାଗକୁ ଟିମ ପ୍ରସ୍ତୁତ କରି ଉପକୂଳ ଅଞ୍ଚଳରେ ଆଗୁଆ ମୁତୟନ କରାଯିବା ସହିତ ଯଥେଷ୍ଟ ପୂର୍ବରୁ ଆବଶ୍ୟକ ଥିବା ବିଦ୍ୟୁତ୍ ଖୁଂଟ, ଟ୍ରାନ୍ସଫର୍ମର, କେବୁଲ ଆଦି ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ମହଜୁଦ ରଖିବାକୁ କୁହାଯାଇଛି । ବାତ୍ୟା ପରେ ରାସ୍ତା ସ‘ାଇ ପାଇଁ ଯନ୍ତ୍ର ଚାଳିତ କରତ ସହ ପୂର୍ତ ଓ ବନବିଭାଗ ଦ୍ୱାରା ଗଠନ କରାଯାଇଥିବା ଦଳମାନଙ୍କ ସମ୍ବନ୍ଧରେ ବି ସମୀକ୍ଷା କରାଯାଇଥିଲା । ଆବଶ୍ୟକ ଗାଡ଼ି ଓ ଜେସିବି ଆଦି ଯୋଗାଇ ଦେବା ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମହଜୁଦ୍ ଥିବା ପଲିଥିନ ରାଜସ୍ୱ ନିରୀକ୍ଷକ (ଆର୍ଆଇ)ମାନଙ୍କ ନିକଟକୁ ପଠାଇଦେବା ପାଇଁ କୁହାଯାଇଥିଲା । ସମ୍ଭାବ୍ୟ ବାତ୍ୟା ପାଇଁ ୩ଟି ଓଡ୍ରାଫ୍ ଟିମ ପ୍ରସ୍ତୁତ ରହିବା ସହ ଅତିରିକ୍ତ ଓଡ୍ରାଫ ଓ ଏନଡିଆରଏଫ ଟିମ ଆସି ପହଞ୍ôଚବା ନେଇ ସୂଚନା ଦିଆଯାଇଥିଲା । ବିଏସଏନଏଲ୍ର କାର୍ଯ୍ୟକାରୀ ଥିବା ୧୪୪ ଟାୱାରରେ ୧୪୪ ଜେନରେଟର ଥିବାରୁ ଲାଇନ କଟିଲେ ବି ଅସୁବିଧା ଉପୁଜିବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ବାତ୍ୟା ପରେ କ୍ଷୟକ୍ଷତି ଆକଳନ କରାଯିବା ପାଇଁ ଜିଲାପାଳ ଉପଜିଲାପାଳମାନଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ବିଶୋଧନ କରାଯିବା ସହ ଆବଶ୍ୟକ ଜେନେରେଟର, ପାନୀୟ ଜଳ ପ୍ରଭୃତି ପୂର୍ଣ୍ଣ ପ୍ରସ୍ତୁତ କରାଯିବା ଦିଗରେ ଆଲୋକପାତ କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ, ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ପ୍ରୋବେସନର ଆଇଏଏସ୍ କୁନାଲ ଚୌହାନ ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।