ବାଲେଶ୍ୱର : “ମୋ ଖତ” ବିକ୍ରି ଆରମ୍ଭ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକା ଦ୍ୱାରା ଗଠିତ ୱେଲଥ ସେଣ୍ଟର ପକ୍ଷରୁ “ମୋ ଖତ” ବିକ୍ରୟ ଆରମ୍ଭ ହୋଇଛି । ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଓ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରସ୍ତୁତ ଜୈବିକ ଖତ ୧୦କେଜି ଲେଖାଏଁ କିଣିବା ସହ ଖତ ବିକ୍ରୟ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପୌରପାଳିକା ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରରେ ୪ଟି ୱେଲଥ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ବର୍ତମାନ ଚାନ୍ଦମାରି ପଡ଼ିଆ ଓ ପୁରୁଣା ବାଲେଶ୍ୱରଠାରେ ଦୁଇଟି ୱେଲଥ ସେଣ୍ଟର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଚୂନଭାଟି ଓ ସୁନହଟ ୱେଲଥ ସେଣ୍ଟର ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ଚାନ୍ଦମାରି ପଡ଼ିଆରେ ସାଇବାବା ସ୍ୱୟଂ ସହାୟକ ଗୋଷ୍ଠୀର ୧୦ଜଣ ମହିଳା ଏବଂ ପୁରୁଣା ବାଲେଶ୍ୱର ସେଣ୍ଟରରେ ମା’ ଶୀତଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୦ଜଣ ମହିଳା କାମ କରୁଛନ୍ତି ।
ସହରର ପ୍ରତି ଘର ବୁଲି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ୪ଟି ଏସଏଚଜି ଗ୍ରୁପର ୮ଜଣ ମହିଳାଙ୍କୁ ନିୟୋଜିତ କରାଯାଇଛି । ଏମାନେ ମ୍ୟୁନିସିପାଲିଟି ପକ୍ଷରୁ ଦିଆଯାଇଥିବା ୪ଟି ବ୍ୟାଟେରୀ ଗାଡ଼ିକୁ ଚଳାଇ ବର୍ଜ୍ୟବସ୍ତୁ ସଂଗ୍ରହ କରି ସେଣ୍ଟରରେ ପହଞ୍ଚାଉଛନ୍ତି । ଆଉ ଏହି ଦୁଇ ସେଣ୍ଟରରେ ଓଦା ବର୍ଜ୍ୟବସ୍ତୁରେ ଖତ ପ୍ରସ୍ତୁତ କରାଯାଉଛି । ୪୫ଦିନ ପରେ ଓଦା ବର୍ଜ୍ୟବସ୍ତୁରୁ ବାହାରୁଥିବା ଖତକୁ ସହରର ବିଭିନ୍ନ ସ୍ଥାନରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଶୁଖିଲା ନନରିସାଇକିଲ ବର୍ଜ୍ୟବସ୍ତୁଗୁଡିକୁ ସିମେଣ୍ଟ କମ୍ପାନୀକୁ ରପ୍ତାନୀ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଅବଶିଷ୍ଟ ଶୁଖିଲା ବର୍ଜ୍ୟବସ୍ତୁଗୁଡିକୁ ବିଭିନ୍ନ ପଦ୍ଧତିରେ ରିସାଇକିଲ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ଶୁକ୍ରବାର ଦିନ ପ୍ରଥମ କରି ଚାନ୍ଦମାରି ପଡ଼ିଆ ଠାରେ ଥିବା ସେଣ୍ଟରରୁ ଖତ ବିକ୍ରୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାର ମୂଲ୍ୟ କିଲୋ ପିଛା ୨୦ଟଙ୍କା ରହିଛି । ଆଗାମୀ ଦିନରେ ପୁରୁଣା ବାଲେଶ୍ୱର ସେଣ୍ଟରରୁ ଖତ ବାହାରିବ । ବର୍ତ୍ତମାନ ୧୨ଟି ୱାର୍ଡ଼ରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ଏହି ଦୁଇ ସେଣ୍ଟରକୁ ଯାଉଛି । ଚାନ୍ଦମାରି ପଡ଼ିଆ ସେଣ୍ଟରରୁ ମାସକୁ ୧୨ଟନ ଖତ ବାହାରିବ । ଆସନ୍ତା ଦିନରେ ସମସ୍ତ ସେଣ୍ଟର କାର୍ଯ୍ୟକ୍ଷମ କରାଯିବା ସହ ଖତ ଉତ୍ପାଦନ ଚାରିଗୁଣା ବୃଦ୍ଧି ହେବା ନେଇ ଦାୟିତ୍ୱରେ ପରିମଳ ବିଶେଷଜ୍ଞ ବିସ୍ମିତ ବେହୁରା, ଉତ୍ସବ ଭଦ୍ରା ଏବଂ ଶୁଭକାନ୍ତ ନାୟକ ପ୍ରମୁଖ ସୂଚନା ଦେଇଛନ୍ତି ।