ଆଇପିଏଲରୁ ବ୍ରେକ୍ ନେଲେ ଦିଲ୍ଲୀର ଷ୍ଟାର ବୋଲିଂ ଅଲରାଉଣ୍ଡର ଅଶ୍ଵିନ
ନୂଆଦିଲ୍ଲୀ : ଆଇପିଏଲର ଚଳିତ ସିଜିନ୍ରୁ ଓହରି ଯାଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବୋଲିଂ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ । ସୁରକ୍ଷିତ ବାୟୋବବଲରେ ରହି ମଧ୍ୟ ଖେଳାଳୀଙ୍କୁ ଘାରିଛି କରୋନା ଭୟ । ଅଶ୍ଵିନଙ୍କ ବ୍ୟତିତ ଅଷ୍ଟ୍ରେଲିଆର କିଛି ଖେଳାଳୀ ଆଇପିଏଲ ଛାଡିଛନ୍ତି ।
ରବିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ଟ୍ୱିଟ୍ କରି ଚଳିତ ଆଇପିଏଲରୁ ଓହରିବା ନେଇ ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ । ଟ୍ୱିଟ୍ କରି ଅଶ୍ଵିନ କହିଛନ୍ତି, ‘ ମୁଁ ସୋମବାର ଠାରୁ ଚଳିତ ଆଇପିଏଲରୁ ବ୍ରେକ୍ ନେଉଛି । ମୋ ପରିବାର କରୋନା ସଂକ୍ରମିତ ହୋଇସାରିଛନ୍ତି । ଏଭଳି କଠିନ ସମୟରେ ସେମାନଙ୍କୁ ମୋର ଆବଶ୍ୟକତା ରହିଛି । ତେବେ ଯଦି ଆଗକୁ ସ୍ଥିତି ସ୍ବଭାବିକ ହୁଏ ତେବେ ମୁଁ ପୁଣିଥରେ ଫେରିବି ।’ ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସକୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ଵିନ।
ସୂଚନା ଯେ, ବିସିସିଆଇ ସଷ୍ଟିକରଣ ଦେଇ କହିଛି ଯେ, ଆଇପିଏଲ ବାତିଲ ହେବ ନାହିଁ । ବର୍ତ୍ତମାନ ପାଇଁ ଖେଳ ଜାରି ରହିବ । ତେବେ ଭାରତରେ କରୋନା ସ୍ଥିତି ଏବେ ଚିନ୍ତାର କାରଣ ପାଲଟିଛି କିନ୍ତୁ ଖେଳାଳୀମାନଙ୍କୁ ବାୟୋ ବବଲରେ ରଖାଯାଇଛି । ଆଇପିଏଲ ପାଇଁ କଡା ବାୟୋ ବବଲ କରାଯାଇଛି ।