ଏଣିକି ଖୋଲା ବଜାରରେ ମିଳିବ କୋଭିଡ୍ ଟିକା
- ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁରୋଧ ରଖିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ଏଣିକି ଖୋଲା ବଜାରରେ ମିଳିପାରିବ କୋଭିଡ୍ ଟିକା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତସପ୍ତାହରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଖୋଲା ବଜାରରେ କୋଭିଡ୍ ଟିକା ବ୍ରିକି ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ନବୀନଙ୍କ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାନିନେଇଛନ୍ତି । ଏଣିକି ଟିକା ଉତ୍ପାଦନକାରୀ କମ୍ପାନୀ ୫୦ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କୁ ଦେବାସହ ବଳକା ୫୦ପ୍ରତିଶତ ଟିକା ରାଜ୍ୟସରକାର ଓ ଖୋଲା ବଜାରକୁ ବିକ୍ରି ପାଇଁ ଛାଡି ପାରିବେ । ସୋମବାର ଖୋଲା ବଜାରରେ ଟିକା ଉପଲବ୍ଧ ହେବା ସମ୍ପର୍କରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହା ସହିତ ଟିକା ଉତ୍ପାଦନକାରୀ ସଂସ୍ଥା ଗୁଡିକ ଠାରୁ ରାଜ୍ୟ ସରକାର ମାନେ ସିଧା ସଳଖ ଟିକା କିଣିପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଘୋଷିତ ହୋଇଥିବା ମୁଲ୍ୟରେ ବଜାରରେ ଟିକା ଉପଲବ୍ଧ ହେବ ବୋଲି କୁହଯାଇଛି । ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏନେଇ ଚିଠି ଲେଖିଥିଲେ । ସରକାରୀ ବ୍ୟବସ୍ଥା ବାହାରେ ମଧ୍ୟ ଖୋଲା ବଜାରକୁ ଟିକା ଛାଡିବାପାଇଁ ନବୀନ ପ୍ରସ୍ତାବ ଦେଇଥିଲେ । ଯଦ୍ୱାରା ଟିକା କିଣିବାକୁ ଯୋଗ୍ୟବ୍ୟକ୍ତି ନିଜ ଅର୍ଥରେ ଏହା କିଣି ପାରିବେ । ଏଭଳି ବ୍ୟବସ୍ଥା ଦ୍ୱାରା ସରକାରଙ୍କ ଉପରେ ଟିକା କରଣ ଧାର କମିଯିବ । ଏହା ସହିତ ଗରିବ ଓ ସମାଜର ଅନ୍ୟବର୍ଗ ଉପରେ ସରକାର ଟିକାକରଣ ନେଇ ଅଧିକ ଧ୍ୟାନ ଦେଇପାରିବେ ।