ଭାରତ ନୁହେଁ ବିଦେଶରେ ଖେଳାଯିବ ଆଇପିଏଲ-୨୦୨୪, ଜାଣନ୍ତୁ କଣ ରହିଛି କାରଣ
ଭାରତରେ ଖେଳାଯାଉଥିବା ସବୁଠାରୁ ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲକୁ ନେଇ ଆସିଲା ବଡ ଅପଡ଼େଟ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ଭାରତ ନୁହେଁ ବରଂ ବିଦେଶରେ ଖେଳାଯିବ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଭାବେ ପରିଚିତ ଆଇପିଏଲ । ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଇପିଏଲ -୨୦୨୪ ଶୀଘ୍ର ଆୟୋଜନ ନେଇ ମଧ୍ୟ ଚିନ୍ତା କରୁଥିବା କୁହାଯାଇଛି ।
ସୂଚନା ଥାଉ କି, ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏହି କାରଣରୁ ୨୦୨୪ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ କାର୍ଯ୍ୟସୂଚୀ ଓ ସ୍ଥାନରେ ପରିବର୍ତ୍ତନ ହେବା ନେଇ ସମ୍ଭାବନା ଥିବା କୁହାଯାଉଛି । ତେବେ ଏନେଇ ବିସିଆଇ ପକ୍ଷରୁ ସରକାରୀ ଭାବେ କୌଣସି ଘୋଷଣା କରାଯାଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ବିସିଆଇ ଶୀଘ୍ର ଆଇପିଏଲ- ୨୦୨୪ ଆୟୋଜନ କରିପାରେ । ଦେଶରେ ଲୋକସଭା ନିର୍ବାଚନ ମେ ମାସ ଆଡ଼କୁ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସିଆଇର ଚିନ୍ତା ବଢିଛି । ସେତେବେଳେ ଦେଶରେ ନିର୍ବାଚନ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ବୋଲି ବିସିସିଆଇ ଆଶଙ୍କା କରୁଛି । ଏଥିଲାଗି ମାର୍ଚ୍ଚ ମାସରେ ଆଇପିଏଲ ମ୍ୟାଚ୍ ଆରମ୍ଭ କରି ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ସୁଦ୍ଧା ଫାଇନାଲ ମ୍ୟାଚ୍ କରିବାକୁ ବିସିସିଆଇ ଯୋଜନା କରାଯାଉଥିବା ଜଣାପଡିଛି । ତେବେ ବର୍ତ୍ତମାନ ବିସିଆଇ ବିଶ୍ବକପ-୨୦୨୪ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି । ଏହା ପରେ ହିଁ କୌଣସି ପ୍ରକାରର ନିଷ୍ପତ୍ତି ନିଆଯାଇପାରିବ । ଆସନ୍ତାବର୍ଷ ଆଇପିଏଲ ୨୦୨୪ର ଅଧିକାଂଶ ମ୍ୟାଚ୍ ବିଦେଶରେ ଆୟୋଜନ କରାଯାଇପାରେ ।
ବିସିସିଆଇ ଅଧିକାରୀ କହିଛନ୍ତି, ଆସନ୍ତା ବର୍ଷ ଆଇପିଏଲ୍-୨୦୨୪ ଆୟୋଜନରେ ଆସିବାକୁ ଥିବା ଅସୁବିଧା ବିଷୟରେ ଆମେ ଅବଗତ। ଆମକୁ ଇଂଲଣ୍ଡ ବିପକ୍ଷରେ ଏକ ସିରିଜ୍ ଆୟୋଜନ କରିବାକୁ ପଡିବ । ଏହା ପରେ ସାଧାରଣ ନିର୍ବାଚନ ହେବ, ତା ପରେ ପରେ ଜୁନ୍ ମାସରେ ବିଶ୍ୱକପ୍ ଅନୁଷ୍ଠିତ ହେବ । ବର୍ତ୍ତମାନ ଅକ୍ଟୋବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ସଫଳତାର ସହ ଆୟୋଜନ କରିବା ଉପରେ ଆମେ ଧ୍ୟାନ ଦେଉଛୁ। ତେବେ ଆଇପିଏଲ୍- ୨୦୨୪କୁ ନେଇ କୌଣସି ନିଷ୍ପତ୍ତି ଡିସେମ୍ବର-ଜାନୁୟାରୀ ବେଳକୁ ନିଆଯିବ । ଆଇପିଏଲର ଶେଷ ସିଜିନ ମାର୍ଚ୍ଚ ୩୧ରୁ ଏପ୍ରିଲ ମାସ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ ଆଇସିସି ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ କିଛି ଦିନ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲା।