ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ

ଖୋର୍ଦ୍ଧା : ବିଜେଡିରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେଡି ସଭାପତି ନବୀନ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କଲେ । ଚିଲିକା ବିଧାୟକଙ୍କୁ ଦାଦାଗିରି ମହଙ୍ଗା ପଡିଛି । ବିଜେପି କର୍ମୀଙ୍କୁ ମାଡ଼ମାରିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି ବଧାୟକ ପ୍ରଶାନ୍ତ ଜଗଦେବ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଏଥିସହ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ପ୍ଲାନିଂ କମିଟିର ଅଧ୍ୟକ୍ଷ ପଦରୁ ମଧ୍ୟ ଅନ୍ତର କରାଯାଇଛି । ବୁଧବାର ଦିନ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟ ପରିସର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କୁ ମାଡ ମାରିଥିଲେ । ଏହି ଘଟଣାରେ ବିଜେପି ପକ୍ଷରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ତାଙ୍କର ଗିରଫ ଦାବିରେ ଥାନା ଆଗରେ ଧାରଣାରେ ବସିଥିଲେ । ଏହି ମାମଲାରେ ପ୍ରଶାନ୍ତଙ୍କ ବିରୋଧରେ ବିଜୁ ଜନତା ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଂଟନ କାର୍ଯ୍ୟକ୍ରମର ଖବର ପାଇ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀମାନେ ଏହାକୁ ବିରୋଧ କରିବା ସହ ଏନଏସି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବାକୁ ଉଦ୍ୟତ ହେଉଥିବା ସମୟରେ ହଠାତ ଚିଲିକା ବିଧାୟକ ସେଠାରେ ପହଂଚିଥିଲେ । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସୃଷ୍ଟି ହୋଇଥିଲା । ଗାଡ଼ିରୁ ଓହ୍ଲାଇ ବିଜେପି କର୍ମୀମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ନେଇ ବିଜେପି ନଗର ମଣ୍ଡଳ ସଭାପତି ଏବଂ ସମ୍ପୃକ୍ତ ସାମ୍ବାଦିକଙ୍କ ତରଫରୁ ବାଲୁଗାଁ ଥାନାରେ ପୃଥକ ପୃଥକ ଭାବେ ଦୁଇ ଗୋଟି ଏତଲା ଦିଆଯାଇଥିଲା । ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେବିଜେପି କର୍ମୀମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଉକ୍ତ ଅଭିଯୋଗ ଭିତିହୀନ ବୋଲି ବିଧାୟକ କହିବା ସହ ପାଲଟା ଅଭିଯୋଗ କରିଥିଲେ ଯେ, ବିଜେପି କର୍ମୀମାନେ ଏନଏସି ପରିସରରେ ବିଶୃଙ୍ଖଳା ସୃଷ୍ଟିକରୁଥିବାରୁ ସେ ସେମାନଙ୍କୁ ବୁଝାସୁଝା କରୁଥିବାବେଳେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ସେହିପରି ଭାବେ ସାମ୍ବାଦିକଙ୍କ ମୋବାଇଲ ଛଡାଇବା କଥାକୁ ମଧ୍ୟ ବିଧାୟକ ଖଣ୍ଡନ କରିଥିଲେ ।
ସୂଚନା ଯେ, ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଯୋଗ ଦେବା କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିନ ପ୍ରାୟ ୧୧ଟା ବେଳେ ପହଂଚିଥିଲେ। ତେବେ ସ୍ଥାନୀୟ ବିଜେପିର ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କ ନେତୃତ୍ୱରେ ବିଜେପିକର୍ମୀମାନେ ବିଧାୟକଙ୍କ ଯୋଗ ଦାନକୁ ବିରୋଧ କରିଥିଲେ। କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିଧାୟକଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ପଶିବାକୁ ଦେଇନଥିଲେ । ଏହାକୁନେଇ ବିଧାୟକ ଓ ବିଜେପି ମଣ୍ଡଳ ସଭାପତିଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତକ୍ଷୀପ୍ତ ହୋଇ ବିଧାୟକ ମଣ୍ଡଳ ସଭାପତିଙ୍କୁ ମାରିବାପାଇଁ ହାତ ଉଠାଇଥିଲେ। ଏହାକୁ ନେଇ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ୧୦-୧୫ ମିନିଟ୍ ଧରି ପରସ୍ପର ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ନିରଂଜନ ସେଠୀଙ୍କ ପକ୍ଷରୁ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ତେବେ ଥାନାରେ ଅଭିଯୋଗ ଭିତ୍ତିରେ ଏତଲା ଦାଏର ହୋଇନଥିବାରୁ ଅପରାହ୍ଣରେ ପୃଥ୍ଵବୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଥାନା ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।