ବାଲେଶ୍ୱର ଇମାମୀ ପେପର ମିଲରୁ ୧୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ
- ଅନିର୍ଦ୍ଦିଷ୍ଟ କାଳ ଯାଏ ଇମାମି ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ବନ୍ଦ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳରେ ଥିବା ଇମାମୀ ପେପର ମିଲରୁ ୧୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁର୍ବରୁ ସେଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ଏତେ ପରିମାଣର ସଂକ୍ରମିତ ଚିହ୍ନଟ ହେବା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଯାହାଫଳରେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ମିଲ୍ରେ ୩ଟି ୟୁନିଟି ଥିବା ବେଳେ ଗୋଟିଏ ୟୁନିଟିକୁ ବନ୍ଦ କରିଛି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା.ଦୁଲାଲସେନ ଜଗଦ୍ଦେବ ଘୋଷଣା କରିଛନ୍ତି ।
ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଜଗଦ୍ଦେବଙ୍କ ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ଇମାମୀ ପେପର ମିଲର ଡାଇରେକ୍ଟର ଓ ଦୁଇ ଜଣ ଅଫିସରଙ୍କ କରୋନା ପଜିଟିଭ ବାହାରିଥିଲା । ପରେ ପେପର ମିଲର ଦୁଇ ନମ୍ବର ଫିନିସିଂ ୟୁନିଟରେ ଥିବା ଶହେ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ କରୋନା ଲକ୍ଷଣ ଦେଖାଦେଇଥିଲା। । ପରେ ପୁଣି ସେହି ୟୁନିଟର ୧୨୫ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଇମାମୀ ପେପର ମିଲର ଅଫିସର କଲୋନୀକୁ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଏହା ସହିତ ସେଠାରେ ଦୁଇଟି ଆଇସୋଲେସନ ୱାର୍ଡ କରାଯାଇଛି । ପେପର ମିଲର ୨ ନମ୍ବର ୟୁନିଟ୍ ମେସିନ୍ ଓ ଫିନିସିଂ ୟୁନିଟକୁ ସଟଡାଉନ କରାଯାଇଛି। ଏଥିସହିତ ଇମାମିର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରି ଦିଆଯାଇଛି । ସୂଚନା ଯେ, ମହାମାରୀ କରୋନା ସ୍ଥିତି ଅସମ୍ଭାଳ। କିଛିଦିନର ବ୍ୟବଧାନ ପରେ ପୁଣି ନିଜର ଉଗ୍ର ରୂପ ଦେଖାଇଛି କରୋନା। ରାଜ୍ୟ, ଦେଶ ତଥା ବିଦେଶରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ଖେଲାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ସୋମବାର କରୋନା ଏକ ଲମ୍ବ ଡିଆଁ ମାରିଛି । ବାଲେଶ୍ୱରରେ କିଛିଦିନ ହେବ ଦୈନିକ କରୋନା ସଂକ୍ରମିତ ସଂଖା ଦୁଇ ଅଙ୍କ ଛୁଉଁ ନଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।