ହୋଟେଲରେ ପଶି କର୍ମଚାରୀଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି । ବିଶେଷ କରି ଅପରାଧୀମାନେ ହତ୍ୟାକାଣ୍ଡ ଘଟାଇବାରେ ପଛାଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ବସ୍ଷ୍ଟାଣ୍ଡ ସ୍ଥିତ ସ୍ୱର୍ଣ୍ଣଚୁଡ଼ ହୋଟେଲରେ ପଶି ଜଣେ କର୍ମଚାରୀଙ୍କୁ ଛୁରା ମାଡ଼ ଘଟଣାରେ ପୋଲିସ ରବିବାର ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭାସ୍କରଗଞ୍ଜ-ବି ଅଞ୍ଚଳର ବାସୁଦେବ ବେହେରା ।
ସୂଚନା ଯେ, ଗତ ମାର୍ଚ୍ଚ ୨୧ ତାରିଖ ରାତି ପ୍ରାୟ ୧୧ଟା ସମୟରେ ବାସୁଦେବ ସ୍ୱର୍ଣ୍ଣଚୁଡ଼ ହୋଟେଲରେ ଜୋର ଜବରଦଦସ୍ତି ପଶି ଜଣେ କର୍ମଚାରୀଙ୍କ ପେଟରେ ଛୁରା ମାଡ଼ କରିଥିଲେ । ଏଥିରେ କର୍ମଚାରୀ ଜଣଙ୍କର ଭୀଷଣ ରକ୍ତସ୍ରାବ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏନେଇ ହୋଟେଲ ମାଲିକ ସତ୍ୟନାରାୟଣ ମହାପାତ୍ର ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ରବିବାର ପୋଲିସ ଅଭିଯୁକ୍ତ ବାସୁଦେବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିସହିତ ଆକ୍ରମଣରେ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରିଥିଲା ।