ସାପ କାମୁଡ଼ାରେ ନାବାଳକ ମୃତ
ବାଲେଶ୍ୱର : ସାପ କାମୁଡ଼ାରେ ଜଣେ ୭ ବର୍ଷୀୟ ନାବାଳକ ମୃତ । ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ମୃତକ ଜଣକ ହେଲେ ଚୌମୁଖ ଗ୍ରାମର ଜଗନ୍ନାଥ ସାହୁଙ୍କ ନାବାଳକ ପୁତ୍ର ଆୟୁଷ (୭) । ଏନେଇ ପରିବାରରେ ଦୁଃଖର କଳାବାଦଲ ଖେଳିଯାଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଯେ, ଚୌମୁଖ ଗ୍ରାମର ଜଗନ୍ନାଥ ସାହୁଙ୍କ ଏକମାତ୍ର ଶିଶୁପତ୍ର ଆୟୁଷ ରବିବାର ମଧ୍ୟାହ୍ନ ୧ଟା ସମୟରେ ନିଜ ଘର ପାଖରେ ଥିବା ନଳକୂପ ନିକଟରେ ଖେଳଥିଲେ । ସେଠାରେ ଖେଳୁଥିବା ସମୟରେ ଏକ ବିଷଧର ସର୍ପ ତାକୁ କାମୁଡ଼ି ଦେଇଥିଲା । ଏହାଦେଖି ଘର ଲୋକେ ସଙ୍ଗେ ସଙ୍ଗେ ଆୟୁଷକୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ରକେନ୍ଦ୍ରକୁ ନେଇ ଯାଇଥିଲେ । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ବାଲେଶ୍ୱର ଯିବା ରାସ୍ତାରେ ବାଲି÷ଆପାଳ ଠାରେ ଆୟୁଷ ଧୀରେ ଧୀରେ ନିସ୍ତେଜ ହୋଇପଡ଼ିବାରୁ ତାକୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୁଅର ମୃତ୍ୟୁ କଥା ଶୁଣି ଜଣେ ମା’ର ହୃଦୟ ବିଦାରକ କ୍ରନ୍ଦନରେ ହସ୍ପିଟାଲ ପରିସର ସ୍ତବ୍ଧ ହୋଇଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।