ବାଲେଶ୍ୱର : ବହୁ ଘାତ ପ୍ରତିଘାତ ପରେ ଏକ ହେଲେ ପ୍ରେମୀ ଯୁଗଳ
ବାଲେଶ୍ୱର : ପ୍ରଥମେ ପ୍ରେମିକ ପ୍ରେମିକା । ପରେ ଅନ୍ତସତ୍ତ୍ୱା ଓ ବିଚ୍ଛେଦ । ଶେଷରେ ଆଇନର ଆଶ୍ରୟ ନେଇ ଦୁଇବର୍ଷର ସଂଘର୍ଷ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ପ୍ରେମିକ ପ୍ରେମିକା ।
ସୂଚନା ଅନୁସାରେ ମାଟିଆଳି ଗ୍ରାମପଞ୍ଚାୟତ ନଟାପଡ଼ା ଅଞ୍ଚଳରେ ଦେବେନ୍ଦ୍ର ବେହେରାଙ୍କ ପୁତ୍ର ନିରଞ୍ଜନ (୨୨) ନୀଳଗିରି ଥାନା ଅଧିନସ୍ଥ ଗୋପିନାଥପୁର ଗ୍ରାମର ପ୍ରଭାକର ରାଉତର କନ୍ୟା ଆରତି (୨୦) କୁ ଭଲ ପାଇ ଆସୁଥିବା ବେଳେ ପରସ୍ପର ଶାରିରୀକ ସମ୍ପର୍କ ରଖିଥିଲେ । ପରେ ଯୁବକ ଜଣକ ଯୁବତୀକୁ ଅନ୍ତସତ୍ତ୍ୱା କରି ଭୁବନେଶ୍ୱର ଏକ ଇଟା ଭାଟିକୁ କାର୍ଯ୍ୟ କରିବାକୁ ପଳାଇଯାଇଥିଲା । ଯୁବକ ଜଣକ ଯୁବତୀଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ବିଚ୍ଛିନ୍ନ କରି ଧରାଛୁଆଁ ଦେଉ ନ ଥିଲା । ପରେ ଝିଅ ଘର ଲୋକେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ଉକ୍ତ ମାମଲାକୁ ନୀଳଗିରି ପୋଲିସ କୋର୍ଟକୁ ପଠାଇ ଦେଇଥିଲେ । କିଛି ମାସ ଧରି କୋର୍ଟରେ ମାମଲା ଚାଲିଥିବା ବେଳେ ଉଭୟ ପରିବାର ମଧ୍ୟରେ ଆପୋଷ ସମାଧାନ କରାଯାଇଥିଲା । ଇତି ଅବସରରେ ସେମାନଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ବର୍ତ୍ତମାନ ଶିଶୁପୁତ୍ରଟିର ୭/୮ ମାସ ହୋଇଥିବା ଜଣାପଡ଼ିଛି । ଗୁରୁବାର ଉଭୟ ପୁଅ, ଝିଅ ନୀଳଗିରି ଥାନା ପରିସରରେ ଥିବା ଶିବ ମନ୍ଦିରରେ ପରସ୍ପରକୁ ଫୁଲ ମାଳ ଦେଇ ମହାପ୍ରଭୁ ଶିବଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନୀଳଗିରି ଥାନାରେ ଗ୍ରାମରକ୍ଷୀ ମନୋଜ ମଲିକଙ୍କ ଉପସ୍ଥିତିରେ ଉକ୍ତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି । ନବଦମ୍ପତ୍ତି ୨ଜଣ ମାଟିଆଳି ନଟାପଡ଼ା ଗ୍ରାମୁକ ଫେରି ଯାଇଥିବା ଜଣାପଡ଼ିଛି । ବିବାହ ସମୟରେ ଉଭୟ ପୁଅ ଓ ଝିଅ ଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ ।