ବାଲେଶ୍ୱର : କୋଭିଡ଼ ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଲେ ଯୁବନେତା ମାନସ ଦତ୍ତ

- ଜିଲା ପାଇଁ ନୂତନ ଭେଣ୍ଟିଲେଟର ଓ ଅକ୍ସିଜେନ କନସେନଟ୍ରେଟର ଯୋଗାଇ ଦେବା ପାଇଁ କଲେ ଅନୁରୋଧ
- ବାଲେଶ୍ୱରକୁ ଉତ୍ତର ଓଡିଶାର ଉତ୍ତମ କୋଭିଡ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ
- ସିଏସଆର କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଜୀବନ ରକ୍ଷକ ଯନ୍ତ୍ରାଂଶ ଯୋଗେଇବା ପାଇଁ ଅନୁରୋଧ
ବାଲେଶ୍ୱର : ବର୍ତ୍ତମାନ ସମଗ୍ର ଦେଶବାସୀ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ ଲଢେଇ କରୁଛନ୍ତି । ବାଲେଶ୍ୱର ଜିଲା କରୋନା ମହାମାରୀର ଦ୍ୱିତୀୟ ଲହରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଏହି ସଙ୍କଟ ସମୟରେ କେନ୍ଦ୍ରର ମୋଦି ସରକାର ସମସ୍ତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ସମ୍ବେଦନଶୀଳ । କିଛିଦିନ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ପିଏମ କେୟାର ଫଣ୍ଡରୁ ବାଲେଶ୍ୱର ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି । ବାଲେଶ୍ୱର ଜିଲାରେ କୋଭିଡ ଭିତ୍ତିଭୂମିକୁ ଆହୁରି ଅଧିକ ମଜବୁତ କରିବା ପାଇଁ ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଛନ୍ତି ।
ଯୁବନେତା ଶ୍ରୀ ଦତ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସି.ଏସ.ଆର କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ପାଇଁ ନୂତନ ଭେଣ୍ଟିଲେଟର ଏବଂ ଅକ୍ସିଜେନ କନସେନଟ୍ରେଟର ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଏହି ସୁବିଧା କୋଭିଡ ସଂକ୍ରମିତ ରୋଗୀମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଅନେକ ଜୀବନ ରକ୍ଷା କରିବାରେ ସହାୟକ ହେବ । ଜିଲ୍ଲାରେ କୋଭିଡ ମାମଲା ବଢୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡିକାଲ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବା ଅତ୍ୟନ୍ତ ଆବଶ୍ୟକ । ଏହା ଦ୍ୱାରା ବାଲେଶ୍ୱର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଆହୁରି ମଜବୁତ ହେବ । ଉତ୍ତର ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବାଲେଶ୍ୱରରେ ମାତ୍ର ଦୁଇଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଥିବା ବେଳେ ଉକ୍ତ ହସ୍ପିଟାଲ ଗୁଡିକରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ ଯୋଗାଣ ଯନ୍ତ୍ରାଂଶ ବଢୁଥିବା କରୋନା ଗ୍ରାଫ୍ ଅନୁଯାୟୀ ପର୍ଯାପ୍ତ ନୁହଁ । ଫଳରେ ଅଳ୍ପ ଗୁରୁତର ରୋଗୀଙ୍କୁ ମଧ୍ୟ ସାମାନ୍ୟ ଭେଣ୍ଟିଲେଟର ପାଇଁ ଭୁବନେଶ୍ୱର ଯିବାକୁ ପଡୁଛି । ଏଣୁ ଜିଲ୍ଲାରେ ଅଧିକ ସଂଖ୍ୟକ ଭେଣ୍ଟିଲେଟର ଓ ଅକ୍ସିଜେନ ଯୋଗାଣ ଯନ୍ତ୍ରାଂଶ ଆବଶ୍ୟକତାକୁ ଦେଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମାନସ । ବାଲେଶ୍ୱର ଜିଲ୍ଲାପାଳ ମଧ୍ୟ ଅନୁରୂପ ତୈଳ କମ୍ପାନୀ ଗୁଡିକୁ ଅନୁରୋଧ ପତ୍ର ଦେଇଛନ୍ତି । ଏବେ ବାଲେଶ୍ୱରରେ ଦୈନିକ କୋଭିଡ ଗ୍ରାଫ୍ ୫୦୦ରୁ ଖସି ସାମାନ୍ୟ ତଳ ମୁହାଁ ହୋଇଛି ମାତ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆମକୁ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ମଧ୍ୟ ଦେବା ଆବଶ୍ୟକ ବୋଲି ଶ୍ରୀ ଦତ୍ତ ମତବ୍ୟକ୍ତ କରିଛନ୍ତି ।