ଇଲେକ୍ଟ୍ରି ଅଫିସରେ ତାଲା ପକାଇ ପ୍ରତିବାଦ କଲା ବିଜେପି
![](https://thetruths.in/wp-content/uploads/2021/06/Electri-Office-BJP-1024x398.jpg)
- ସ୍ଥିତି ସାମାନ୍ୟ ପାଇଁ ବିଦ୍ୟୁତ ବିଭାଗକୁ ୩ ଦିନର ସମୟ : ମାନସ ଦତ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଚାଲିଛି ଘନ ଘନ ବିଦ୍ୟୁତ କାଟ । ସକାଳ ହେଉ କି ସନ୍ଧ୍ୟା, ଦ୍ୱିପହର ହେଉ କି ରାତି ବିଭିନ୍ନ ସମୟରେ ସବୁଆଡେ ବିଦ୍ୟୁତ କାଟ ହେଉଛି । ଏହା ବ୍ୟତୀତ ଆକାଶରେ ମେଘ ଉଠାଇଲେ, ବିଜୁଳି ମାରିଲେ ଓ ଯଦି ଗଛର ପତ୍ର ବି ହଲିବ ତାହେଲେ ବି ସଙ୍ଗେସଙ୍ଗେ ବିଦ୍ୟୁତ କାଟ ହୋଇଯାଏ । ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକା ପରିମାଣରେ ବିଦ୍ୟୁତ କାଟ ହେଉଛି, କେତେବେଳେ ପାଞ୍ଚ ଦଶ ମିନିଟ ଆରମ୍ଭ କରି ଅଧ ଘଣ୍ଟାଏ ତ କେତେବେଳେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । ପ୍ରଚଣ୍ଡ ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ ଆଉ ଲକଡାଉନରେ ଦିନ ତମାମ ଲୋକେ ଘରେ ରହୁଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଗତକାଲି ବେଙ୍ଗ ମୁତିଲା ଭଳି ପାଣି ହୋଇଥିବା ବେଳେ ସୁଲୁସୁଲିଆ ପବନରେ ବିଦ୍ୟୁତ ସରବରାହ ରାତି ସାରା ବନ୍ଦ ଥିଲା । ବିଦ୍ୟୁତ ବିଭାଗ ତରଫରୁ ଜରୁରୀକାଳୀନ ନମ୍ବର ଜାରି କରାଯାଇଥିଲେ ମଧ୍ୟ ତାହା କାମ କରୁନାହିଁ ଆଉ ବିଭାଗୀୟ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି ।
ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ କୋଭିଡ ନିୟମକୁ ପାଳନ କରି ବାଲେଶ୍ୱର ନଗର ବିଜେପି ପକ୍ଷରୁ କାଳୀ ମନ୍ଦିର ସ୍ଥିତ ଏସଡିଓ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । କେନ୍ଦ୍ରର ମୋଦି ସରକାର ହଜାର ହଜାର କୋଟି ଟଙ୍କା ବିଦ୍ୟୁତ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଦେଉଥିବା ବେଳେ ଏଠାରେ ବିଦ୍ୟୁତ ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡିଛି । ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଖୋଦ ବାଲେଶ୍ୱରର ଦାୟିତ୍ୱ ନେଇଥିବା ବେଳେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଯୋଗାଇବା ପ୍ରତିଶୃତି ଆଜି ପାଣି ଗାର ସଦୃଶ । ବିଦ୍ୟୁତ ବିଭାଗର ନିର୍ବାହୀ ଅଧିକାରୀ ଆସି ଦୁଇ ଦିନ ମଧ୍ୟରେ ସ୍ଥିତି ସାମାନ୍ୟ ହେବ ବୋଲି ପ୍ରତିଶୃତି ଦେବାପରେ ବିଜେପି ପ୍ରତିବାଦ ସଭାକୁ ସମାପ୍ତ କରାଯାଇଥିଲା । ଆଗାମୀ ୨ ଦିନ ନୁହେଁ ୩ ଦିନ ମଧ୍ୟରେ ବିଦ୍ୟୁତ ସ୍ଥିତି ସାମାନ୍ୟ ନହୁଏ ତେବେ ଭାରତୀୟ ଜନତା ପାର୍ଟି ଲୋକଙ୍କ ସ୍ୱାର୍ଥ ପାଇଁ ବିଦ୍ୟୁତ କର୍ପୋରେଟ ଅଫିସ ଘେରିବ ବୋଲି ଶ୍ରୀ ଦତ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ । ଉକ୍ତ କାର୍ଯକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସୁଜିତ ଦେ, ଉପେନ୍ଦ୍ର ଶତପଥୀ, ମାଧବାନନ୍ଦ ସାହୁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସତ୍ୟଜିତ ମିଶ୍ର, ଦିଲୀପ ମାଝୀ, ରାଜେନ୍ଦ୍ର ଚାଟାର୍ଜୀ, ସୁରେନ ମାଝୀ, ଧୀରଜ ମହାନ୍ତି, ବିନୟ ମହାରଣା, ଅଶୋକ ଦାସ, ମଣ୍ଟୁ ପେରିୱାଲ, ବିଭୁପଦ ଦାସ, ପବନ କମିଳା, କୌସିକ ଚାନ୍ଦ, ସଶ୍ମିତା ଦାଶ, ସବିତା ପାଣିଗ୍ରାହୀ, ଅନିତା ଦାସ, ମିନତି ଦାସ, ଲକ୍ଷ୍ମୀକାନ୍ତ ବେହେରା, ଅଭୟ ସ୍ୱାଇଁ, ମନୋଜ ପୋଦ୍ଦାର, ଅରୁପ ଜେନା, ଅଭିଷେକ ପଣ୍ଡା, ରାକେଶ ପାଢୀ, ତପନ ବେହେରା, ବବଲୁ ମିଶ୍ର, ଦିଲୀପ ଦାସ, ପ୍ରତାପ ପ୍ରଧାନ, ଶକ୍ତି ପାଣିଗ୍ରାହୀ, ଜିତେନ୍ଦ୍ର ଷଡଙ୍ଗୀ, ସେଖ ହଲିମ, ସଞ୍ଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।