କରୋନାର ମୁକାବିଲା ଲାଗି ଆମେ ସଜାଗ ଅଛୁ : ବିଏମସି କମିସନର
ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା
ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମିତ ହୁ ହୁ ମାଡି ଚାଲିଥିବା ବେଳେ ବିଶେଷ କରି ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ପ୍ରାୟ ତିନିଦିନ ହେବ ଶତକ ପାର କରୁଛି । ଯାହା ଏବେ ଚିନ୍ତାର କାରଣ ହେବାରେ ଲାଗିଛି । ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି, କରୋନାର ମୁକାବିଲା ଲାଗି ଆମେ ସଜାଗ ଅଛୁ। ଏନଫୋର୍ସମେଣ୍ଟକୁ କମିସନରରେଟ ପୋଲିସ ସହ ମିଶି ଆହୁରି ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ଆମେ ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରିନୁ, ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଉଛୁ ।
ତେବେ ନବମ ଓ ଏକାଦଶ ଶ୍ରେଣୀ ବାତିଲ ନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ଆବାସିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ କୁହାଯାଇଛି । ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଶେଷ ହୋଇଛି । ଏଣୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶ ଅନୁଯାୟୀ ନିୟମ ଅନୁପାଳନ କରିବାକୁ କୁହାଯାଇଛି । ଵୃଦ୍ଧି ପାଉଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସେପଟେ ଭୁବନେଶ୍ୱରରେ ବର୍ତ୍ତମାନ ଥିବା ଏକମାତ୍ର କୋଭିଡ ହସ୍ପିଟାଲ ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଯେଉଁ ହସ୍ପିଟାଲଗୁଡ଼ିକ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକସ୍ଥଳେ ପୁଣିଥରେ ନିୟୋଜିତ କରାଯିବ। ବର୍ତ୍ତମାନ ଆମେ ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରୁନୁ, ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଉଛୁ।