କୋଭିଡ ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡିକାଲ ଟିମ୍କୁ ବନ୍ଧକ ରଖିଲେ ଗ୍ରାମବାସୀ

ବଲାଙ୍ଗୀର : କୋଭିଡ ପରୀକ୍ଷା ପରେ ଆସିଥିବା ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡିକାଲ ଟିମ୍କୁ ବନ୍ଧକ ରଖିଲେ ଗ୍ରାମବାସୀ । ପଜିଟିଭ ଚିହ୍ନଟ ହୋଇଥିବା କୌଣସି ଲୋକଙ୍କର କିଛି ବି ଲକ୍ଷଣ ନଥିବା ଗାଁ ଲୋକେ କହିଛନ୍ତି । ତେଣୁ ଏହି ରିପୋର୍ଟ ଉପରେ ବିଶ୍ୱାସ ନ କରି ଭିଡିଓ ମାଧ୍ୟମରେ ଆଉ ଥରେ ଅନ୍ୟ ଜାଗାରେ ଆର.ଟି.ପି.ସି.ଆର ପରୀକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ବୈଦିପାଲି ପଂଚାୟତ ଅର୍ନ୍ତଗତ ବରଗାଁରେ ।
ସୂଚନା ଯେ, ଗତ ୧୮ ତାରିଖରେ ବୈଦିପାଲି ଗାଁର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତା’ପରେ ପର୍ଯ୍ୟାୟ କ୍ରମେ ବରଗାଁରେ ଚୁଡାପାଲି ମେଡିକାଲ ଟିମ୍ ଦ୍ୱାରା ଗ୍ରାମବାସୀଙ୍କର ଆର.ଟି.ପି.ସି.ଆର ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଆସିଥିଲା । ହେଲେ ଏହାଜୁ ସହଜେ ଗ୍ରହଣ କରିପାରି ନ ଥିଲେ ଗ୍ରାମବାସୀ।